ଢେଙ୍କାନାଳ: ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପରେ ଏଲପିଜି ବା ରୋଷେଇ ଗ୍ୟାସର ଦର ହ୍ରାସକୁ ନେଇ ଆଶା ବାନ୍ଧିଥିଲେ ଗୃହିଣୀ । ମାତ୍ର ଗୃହିଣୀମାନଙ୍କୁ ହତାଶ କରିଛନ୍ତି କେନ୍ଦ୍ର ସରକାର । ଏଲପିଜି ଦର ହ୍ରାସ ବଦଳରେ ଅପେକ୍ଷାକୃତ ବୃଦ୍ଧି ଘଟିବା ସିଧାସଳଖ ହାଣ୍ଡିଶାଳ ଉପରେ ପ୍ରଭାବ ପକାଇଛି କହିଲେ ଭୁଲ ହେବ ନାହିଁ । କୋରୋନାକୁ ନେଇ ଦୀର୍ଘ ଦୁଇ ମାସ ହେଲା ଜାରି ରହିଥିବା ଲକଡାଉନରେ ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି ।
ତାଲାବନ୍ଦରେ ବଢୁଛି ଏଲପିଜି ସିଲିଣ୍ଡର ମୂଲ୍ୟ, ଚିନ୍ତାରେ ମଧ୍ୟବିତ୍ତ ପରିବାର ଏପରିସ୍ଥଳେ କେନ୍ଦ୍ର ସରକାର ବିଭିନ୍ନ ସ୍ତରରେ ଆର୍ଥିକ ସଂକଟରୁ ମୁକ୍ତି ପାଇଁ ସହାୟତା ଓ ରିହାତି ଆଦି ଘୋଷଣା କରିଛନ୍ତି । କିନ୍ତୁ ଗୃହିଣୀମାନଙ୍କ କଥା ଭୁଲି ଯାଇଛନ୍ତି କେନ୍ଦ୍ର ସରକାର । ଏପରିକି ଅତ୍ୟାବଶ୍ୟକ ରୋଷେଇ ଗ୍ୟାସ ବା ଏଲପିଜି କ୍ଷେତ୍ରରେ ଦର କମାଇବା ବଦଳରେ ପାଲଟା ଇତି ମଧ୍ୟରେ 80 ଟଙ୍କା ବଢାଇ ଦେଇଥିବା ମଧ୍ୟବିତ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଏଲପିଜି ବିତରକମାନଙ୍କ କହିବା କଥା ଗତ ଫେବୃଆରୀ ମାସରେ ସିଲିଣ୍ଡର ପିଛା 912ଟଙ୍କା 50ପଇସାରୁ ଏବେ ତାହା କମି କମି 603ଟଙ୍କାରେ ପହଞ୍ଚିଛି । ହେଲେ ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ସେ ସମୟରେ ଆସୁଥିବା 322 ଟଙ୍କାର ସବସିଡି ଏବେ ବନ୍ଦ ହୋଇଯାଇଥିବା ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ।
ଏପରିକି ପ୍ରତି ମାସରେ ସିଲିଣ୍ଡର ପିଛା ଅତି ଚତୁରତାର ସହ 4 ଟଙ୍କା ବଢ଼ାଇ ଚାଲିଛନ୍ତି ସରକାର । ସୂଚନା ମୁତାବକ ଜିଲ୍ଲାରେ ଇଣ୍ଡିଆନ ଅଏଲର 2, ଭାରତ ପେଟ୍ରୋଲିୟମର ଜଣେ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର 2ଜଣଙ୍କ ସମେତ 5ଜଣ ନିୟମିତ ଏଲପିଜି ବିତରକ ରହିଛନ୍ତି । ସେହିପରି ଗ୍ରାମାଞ୍ଚଳରେ ଏହି 3ଟି କମ୍ପାନୀର 27 ଜଣ ଗ୍ରାମୀଣ ବିତରକ ରହିଛନ୍ତି । ଜିଲ୍ଲାରେ ମୋଟ 3ଲକ୍ଷ 28ହଜାର 249ଜଣ ଏଲପିଜି ଉପଭୋକ୍ତା ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 1ଲକ୍ଷ 88ହଜାର 517ଜଣ ଉଜ୍ବଳା ଉପଭୋକ୍ତାଙ୍କୁ ମାସିକ ଗୋଟିଏ ଏଲପିଜି ସିଲିଣ୍ଡର ମାଗଣା ଦେଉଛନ୍ତି ସରକାର । ମାତ୍ର ଅବଶିଷ୍ଟ ସାଧାରଣ ଉପଭୋକ୍ତାଙ୍କ ପାଇଁ କେନ୍ଦ୍ର ସରକାର ବେଡି ଉପରେ କୋରଡା ଲଦି ଦେଇଛନ୍ତି ।
ବଢୁଥିବା ଦର ଦାମକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟପଟେ ଏହା ସରକାରଙ୍କ ପଲିସି କହି କଥାକୁ ଏଡାଇ ଦେଇଛନ୍ତି ବିଭାଗୀୟ ତଥା ଜିଲ୍ଲା ଯୋଗାଣ ଅଧିକାରୀ । କହିବାକୁ ଗଲେ ଲକଡାଉନରେ କେନ୍ଦ୍ର ସରକାର ସବୁ ବର୍ଗର ଲୋକଙ୍କ କଥା ବୁଝିଥିବା ବେଳେ ଅତ୍ୟାବଶ୍ୟକ ରୋଷେଇ ଗ୍ୟାସ କ୍ଷେତ୍ରରେ ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । ମୂଲ୍ୟ ହ୍ରାସ ବଦଳରେ ଏଲପିଜି ଦର ବୃଦ୍ଧି ସୃଷ୍ଟି କରିଛି ବେଶ ଆଲୋଡନ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ