ଢେଙ୍କାନାଳ: ଗୋଟିଏ ପଟରେ କାଳବୈଶାଖୀ । ଆଉ ସେପଟେ ହାତୀ ପଲଙ୍କ ଉପଦ୍ରବ । ଢେଙ୍କାନାଳ ଜିଲ୍ଲାରେ ଏପରି ଉଜୁଡି ଯାଇଛି ଏକର ଆମ୍ବ ଚାଷ । ଫଳରେ ଆମ୍ବ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କାଳ ବୈଶାଖୀର ପ୍ରଭାବରେ ଗଛରୁ ସବୁ ଆମ୍ବ ଝଡି ପଡିଥିବା ବେଳେ ବଳକା ଆମ୍ବକୁ ବଣୁଆ ହାତୀଙ୍କର ଆସି ନଷ୍ଟ କରିଛନ୍ତି । ଯାହା ଫଳରେ ଢେଙ୍କାନାଳ ଜିଲ୍ଲାରେ ଆମ୍ବ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ବିଶେଷ କରି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମହୁଲ ପାଳ ଓ କୁରୁମ ଟାଙ୍ଗର ଗ୍ରାମର ଚାଷୀ ବିପୁଳ କ୍ଷତି ସହୁଛନ୍ତି।
ଆମ୍ବ ଚାଷୀମାନଙ୍କୁ ଏହି ବଣୁଆ ହାତୀ ଚିନ୍ତାରେ ପକାଇ ଦେଇଛନ୍ତି । ବଣୁଆ ହାତୀ ପଲ ବାରମ୍ବାର ଏହି ଅଞ୍ଚଳରେ ଉପଦ୍ରବ କରୁଛନ୍ତି । ଏହି ବଣୁଆ ହାତୀ ପଲ ଆମ୍ବ ଗଛ ସବୁ ଭାଙ୍ଗି ଆମ୍ବ ବଗିଚାକୁ ଦଳି ଚକଟି ଉଜାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଢେଙ୍କାନାଳ ସଦର ବ୍ଲକ ବଳଦିଆ ବନ୍ଧ, ମହୁଳପଡା ଓ କୁରୁମ ଟାଙ୍ଗର ଅଞ୍ଚଳରେ ପ୍ରାୟ ଶହେ ଏକରରୁ ଉର୍ଦ୍ଧ୍ବ ଆମ୍ବ ଚାଷ ହୋଇଥିବା ଜଣାପଡିଛି । ଏହି ଅଞ୍ଚଳରେ ଆମ୍ବ ଚାଷୀମାନେ ବର୍ଷକୁ ଥରେ ଏହି ଆମ୍ବ ବିକ୍ରି କରି ଭଲ ଦିପଇସା ରୋଜଗାର କରିଥାନ୍ତି । ଯାହାକି ସେମାନଙ୍କର ପରିବାର ପୋଷଣର ଏକ ମାଧ୍ୟମ ଥାଏ ।