ଢେଙ୍କାନାଳ: ଆରମ୍ଭ ହୋଇଯାଇଛି ହିନ୍ଦୋଳ ଏନଏସି ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ସକାଳ ୮ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୧୬ଟି ବୁଥରେ ୩ ଜଣ ଅଧ୍ୟକ୍ଷ ଓ ୫୦ଜଣ କାଉନସିଲରଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୯ ହଜାର ୮୬୩ ଭୋଟର । କଡାକଡ଼ି ସୁରକ୍ଷା ମଧ୍ୟରେ ଚାଲିଛି ମତଦାନ ।
ରାଜ୍ୟର ନୂଆପଡା, ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନର ଆଜି ଭୋଟ ଗ୍ରହଣ ଚାଲିଛି । ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଏହି ଭୋଟ ଗ୍ରହଣ । ଫଳରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସିରେ ଭୋଟରମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ଭୋଟରମାନେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ଚୟନ କରୁଛନ୍ତି ।
ତେବେ ମତଦାନ କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହିନ୍ଦୋଳ ଏନଏସିରେ ମୋଟ ୧୬ଟି ୱାର୍ଡ ଓ ସିଧାସଳଖ ଅଧ୍ୟକ୍ଷ ପଦବୀ ପାଇଁ ଏହି ଭୋଟ ଗ୍ରହଣ ଚାଲିଛି । ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡ ରହିଥିବା ବେଳେ ପ୍ରତ୍ୟେକ ୱାର୍ଡରେ ଗୋଟିଏ ଲେଖାଁଏ ବୁଥ ଏପରି ମୋଟ ୧୬ଟି ବୁଥରେ ଭୋଟର ମତଦାନ କରୁଛନ୍ତି । ଅପରପକ୍ଷରେ ୬ଟି ବୁଥ ସମ୍ବେଦନଶୀଳ ଥିବାବେଳେ ୨ଟି ବୁଥ ଅତିସମ୍ବେଦନଶୀଳ ରହିଛି । ଫଳରେ ଏହି ବୁଥ ଗୁଡି଼କରେ ସ୍ୱତନ୍ତ୍ର ସଶସ୍ତ୍ର ବାହିନୀ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।