ଢେଙ୍କାନାଳ: ଡାକ୍ତରଖାନାରେ ୧୦ ଘଣ୍ଟା ଧରି ପଡ଼ିରହିଲା ମୃତଦେହ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଳମ୍ବିତ ସମୟ ଧରି ମୃତଦେହ ପଡ଼ିବା ନେଇ ଉତ୍ତେଜନା ଦେଖାଦେଇଛି । ଡାକ୍ତରଙ୍କ ମନମାନି ଚାଲୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିସହ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଗ୍ରାମବାସୀ ଧାରଣାରେ ବସିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସିଆରିଆ ଗ୍ରାମର ଦିବାକର ରାଉତ ନାମକ ଜଣେ ୭୫ବର୍ଷୀୟ ବୃଦ୍ଧଙ୍କୁ ଅସୁସ୍ଥ ଅବସ୍ଥାରେ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତ ସୋମବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ବୃଦ୍ଧଙ୍କ ପରିବାର ହାତରେ ଡାକ୍ତର ଇଞ୍ଜେକ୍ସନ ମଗାଇଥିଲେ । ତେବେ ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଶବ ବ୍ୟବଚ୍ଛେଦ କରିବାକୁ ନେଇ ସକାଳୁ ସନ୍ଧ୍ୟା ହୋଇଯାଇଥିଲା । ହେଲେ ପରିବାର ଲୋକଙ୍କୁ ମୃତଦେହ ହସ୍ଥାନ୍ତର କରାଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏବଂ ଶବ ବ୍ୟବଚ୍ଛେଦ ପାଇଁ ଉଭୟ ପୋଲିସ ଓ ଡାକ୍ତରଖାନା କର୍ମଚାରୀ ଗୁରୁତ୍ବ ଦେଇନଥିଲେ ମଧ୍ୟ ସେମାନେ କହିଛନ୍ତି । ଏପରିକି ଡାକ୍ତରଖାନା ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିସାରିଥିବା ଲେଖିବା ପାଇଁ ମୃତକ ପରିବାରକୁ ଡାକ୍ତରଖାନା ପକ୍ଷରୁ ବାଧ୍ୟ କରାଯାଇଥିଲା ।