ଢେଙ୍କାନାଳ: ରୁଙ୍ଗୁଟା କମ୍ପାନୀ ନାଁରେ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ତର୍କାବେଡା ଗାଁର ମୁଖ୍ୟ ରାସ୍ତାକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କରୁଛି ରୁଙ୍ଗୁଟା କମ୍ପାନୀ । ଏହାର ବିରୋଧ କରି ଗାଁର ଶତାଧିକ ଲୋକ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସୂଚନାଅନୁଯାୟୀ, ହିନ୍ଦୋଳ ଉପଖଣ୍ଡ କନ୍ତିମିଲି ଗ୍ରାମପଞ୍ଚାୟତର ତର୍କାବେଡା ଗ୍ରାମବାସୀ ନିର୍ଭର କରୁଥିବା ମୁଖ୍ୟ ରାସ୍ତାକୁ ରୁଙ୍ଗୁଟା କମ୍ପାନୀ ବନ୍ଦ କରି ଘଞ୍ଚ ଜଙ୍ଗଲ ଭିତରେ ଅନ୍ୟ ଏକ ରାସ୍ତା ନିର୍ମାଣ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାକୁ ତର୍କାବେଡା ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । କାରଣ ସାତ ଖଣ୍ଡ ପଞ୍ଚାୟତ ଏହି ରାସ୍ତା ଉପରେ ନିର୍ଭରଶୀଳ । ଏମିତିକି କନ୍ତିମିଲି, ରଞ୍ଜାଗୋଳ, ଅସରଡା, କଡ଼ଲା, ଦୁଦୁରୁକୋଟ, ପାଟଲା ଓ ଗୁଳେହି ପ୍ରମୁଖ ସାତଟି ପଞ୍ଚାୟତର ସରପଞ୍ଚମାନେ ଏ ସଂପର୍କରେ ପ୍ରଶାସନକୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ । ଜନତାଙ୍କ ଦାବିକୁ ହିନ୍ଦୋଳ ପ୍ରଶାସନ ଅଣଦେଖା କରିଥିବା ଅଭିଯୋଗ ହୋଇଛି ।