ତେଙ୍କାନାଳ: ବାରମ୍ବାର ଗୁହାରି ସତ୍ତ୍ୱେ ଗୁରୁତ୍ୱ ଦେଲାନି ପ୍ରଶାସନ । ଫଳରେ ପ୍ରତିବାଦ କରିବାକୁ ଯାଇ ସ୍କୁଲକୁ ନଯାଇ ରାସ୍ତାରେ ବସି ରହିଲେ କୁନିକୁନି ଛାତ୍ରଛାତ୍ରୀ । ଦୀର୍ଘ ଅଢେ଼ଇ ଘଣ୍ଟା ଧରି ରାସ୍ତାରେ ଯାତାୟାତ ହୋଇଗଲା ପୁରା ଠପ । ଢେଙ୍କାନାଳ ଜୋରନ୍ଦା ମୁଖ୍ୟ ରାସ୍ତାର ବନ୍ଧ ନୂଆଗାଁ ଛକରେ ଆଜି ଏପରି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ରାସ୍ତା ଉପରେ ପ୍ରାୟ ୪୦ଜଣ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ବସିରହିଥିଲେ। ଏହି କୁନି ପିଲାମାନଙ୍କ ସହ ଅଭିଭାବକ ଓ ବନ୍ଧ ନୂଆଗାଁ ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ଗାଁରେ ସ୍କୁଲ ଥିବା ବେଳେ ପିଲାମାନେ ପ୍ରାୟ 2 କିଲୋମିଟର ରାସ୍ତା ଯିବାକୁ ପଡୁଛି । ଗାଁରେ ଥିବା ସ୍କୁଲକୁ ଖୋଲିବା ପାଇଁ ପ୍ରଶାସନ ନକଟରେ ଦାବି କରି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଗ୍ରାମବାସୀ । ଖବର ପାଇ ସଦର ଥାନା ପୁଲିସ ଓ ସଦର ବ୍ଲକ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକରୁ ହଟିଥିଲେ ଗ୍ରାମବାସୀ ।
ସୂଚନା ମୁତାବକ, ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବନ୍ଧ ନୂଆଗାଁ ପ୍ରାଥମିକ ବିଦ୍ୟାଳୟରେ କମ ଉପସ୍ଥାନ ଯୋଗୁଁ ଗତ ୨୦୧୯ ମସିହାରୁ ଏହାକୁ ବନ୍ଦ କରି ପାଖ ଦୁର୍ଗାପ୍ରସାଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ମିଶ୍ରଣ କରାଯାଇଥିଲା । ମାତ୍ର ନିୟମ ମୁତାବକ ଏବେ ଏହି ସ୍କୁଲ ପାଇଁ ପିଲା ସଂଖ୍ୟା ୪୦ରୁ ଊର୍ଦ୍ଧ୍ବ ହୋଇଗଲେଣି । ମାତ୍ର ସରକାର କି ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସ୍କୁଲ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଗତ ଦେଢ଼ ବର୍ଷ ହେଲା ବାରମ୍ବାର ଶିକ୍ଷା ବିଭାଗୀୟ ଅଧିକାରୀ, ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଗୁହାରି କରିଆସୁଛନ୍ତି ଗ୍ରାମବାସୀ । ମାତ୍ର ଗୁହାରି କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଞ୍ଚ ।