ଢେଙ୍କାନାଳ: ଶତାୟୁ ସ୍ବାଧୀନତା ସଂଗ୍ରାମୀଙ୍କ ପରଲୋକ । ୧୦୩ବର୍ଷ ବୟସରେ ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ବ୍ରଜକିଶୋର ମହାପାତ୍ରଙ୍କର ପରଲୋକ ହୋଇଛି । ଢେଙ୍କାନାଳ ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଗତ କିଛିଦିନ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ମଙ୍ଗଳବାର ସ୍ବାସ୍ଥ୍ୟାବସ୍ଥା ସଙ୍ଗୀନ ହେବା ଯୋଗୁଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସନ୍ଧ୍ୟାରେ ବ୍ରଜକିଶୋର ମହାପାତ୍ରଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ଦେହାନ୍ତ ଖବର ପାଇ ଜିଲ୍ଲା ପ୍ରଶାସନିକ ଅଧିକାରୀ, ରାଜନେତା, ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ, ସ୍ୱାଧୀନତା ପ୍ରେମୀ ଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ କର୍ମକର୍ତ୍ତା ସ୍ବର୍ଗତ ବ୍ରଜ ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ । ଆଜି ସକାଳେ ସଦର ବ୍ଲକ ଅନ୍ତର୍ଗତ କେଶରିଆ ଗ୍ରାମକୁ ଅଣାଯାଇଥିବା ବେଳେ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ଦିଆଯାଇଛି । ସୂଚନା ଥାଉକି, ସ୍ବର୍ଗତ ବ୍ରଜବାବୁ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ଥିଲେ । ୧୯୩୮ମସିହା ଅସହଯୋଗ ଆନ୍ଦୋଳନ ସମୟରେ ସହିଦ ହୋଇଥିବା ଢେଙ୍କାନାଳର ବାଜି ରାଉତଙ୍କ ଶୋଭଯାତ୍ରା ଠାରୁ ଆରମ୍ଭ କରି ତୁଳସୀପୁର କଟକ ସତୀ ଚଉରା ଶ୍ମଶାନ ଯାଏଁ ସାମିଲ ଥିଲେ ।