ଢେଙ୍କାନାଳ: କୂଳ ଖାଉଛି ସାପୁଆ ନଈ,ଆତଙ୍କିତ ଅଞ୍ଚଳବାସୀ । ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ସାପୁଆ ନଈରେ ବନ୍ୟା ଆସିଛି । ଫଳରେ ମୃଦଙ୍ଗାପଲ୍ଲୀ ସ୍କୁଲ ଘରେ ବନ୍ୟାଜଳ ପଶି ଭୁଶୁଡି ଯାଇ ଭାସି ଯାଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି । ଏହି ନଈ କୂଳ ଖାଇ ଚାଲିଥିବାରୁ ତିନି ଚାରୋଟି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳସ୍ତର ବଢି ସାପୁଆ ନଈରେ ବନ୍ୟା ସୃଷ୍ଟି ହୋଇଛି । ଏହି ନଈ କୂଳରେ ରହିଥିବା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ମୃଦଙ୍ଗାପଲ୍ଲୀ ଗାଁରେ ପାଣି ପଶି ଯାଇଥିଲା । ଏହି ବନ୍ୟା ଯୋଗୁଁ ସ୍କୁଲ ଘର ଭୁଶୁଡି ଭାସି ଯାଇଥିବାବେଳେ ଅନେକ କ୍ଷୟକ୍ଷତି ହୋଇଛି । ଏବେ ବର୍ଷା ଛାଡି ଯାଇଛି ସତ ମାତ୍ର ଏହି ସାପୁଆ ନଈ କୂଳ ଖାଇ ଚାଲିଛି । ଏପରିକି ଏହି ସାପୁଆ ନାଳ ପାର୍ଶ୍ଵରେ ଥିବା ମୃଦଙ୍ଗାପଲ୍ଲୀ ସ୍କୁଲ ଭୁଶୁଡି ପଡି ନାଳରେ ଭାସି ଯାଇଥିବା ଶହ ଶହ ଏକର ଚାଷ ଜମି ବନ୍ୟା ପାଣିରେ ବୁଡି ନଷ୍ଟ ହୋଇଛି । ଅପରପକ୍ଷରେ ନାଳ କୂଳ ଖାଉଥିବାରୁ ଅତଡ଼ା ପରେ ଅତଡ଼ା ଛାଡ଼ୁଛି । ଫଳରେ ଏହି ନାଳ କୂଳରେ ରହିଥିବା ତିନି ଚାରୋଟି ଗ୍ରାମବାସୀ ଅସୁରକ୍ଷିତ ଅବସ୍ଥାରେ ରହିଛନ୍ତି । ସାପୁଆ ନଈରେ ଏହି ଗ୍ରାମ ନିକଟରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମିତ ଚେକ ଡ୍ୟାମର ଗାର୍ଡ ୱାଲ ନିମ୍ନମାନର କାମ ଯୋଗୁଁ ଭାଙ୍ଗି ଯାଇଛି ।