ଢେଙ୍କାନାଳ: ଶୁକ୍ଳ ଚତୁର୍ଦଶିରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆଜି ଦ୍ୱିତୀୟ ଦିନରେ । ଆଜି ଢେଙ୍କାନାଲ ଗ୍ରସ୍ତ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋରନ୍ଦା ମାଘ ମେଳା ବୁଲିଛନ୍ତି । ଯୋରନ୍ଦା ମହିମା ଗାଦିରେ ପହଞ୍ଚି ପ୍ରଥମେ ମୁଖ୍ୟ ମନ୍ଦିର ଗାଦି ମନ୍ଦିର ଯାଇଥିଲେ ଧର୍ମେନ୍ଦ୍ର । ସେଠାରେ ଶୂନ୍ୟ ମହାପ୍ରଭୁଙ୍କୁ ପ୍ରଣାମ ଜଣାଇ ଆଶିଷ ଭିକ୍ଷା କରିଥିଲେ । ପରେ କୌପୁନୀଧାରୀ ମହିମା ସମାଜର ଜ୍ୟୋତୀ ମନ୍ଦିର ଚତୁଃପାଶ୍ୱର୍ରେ ବେଢ଼ା ପରିକ୍ରମା କରି ଶୂନ୍ୟ ମହାପ୍ରଭୁଙ୍କ ସମେତ ସାଧୂଙ୍କ ସହ ଆଲୋଚନା କରିଥିଲେ । ଶେଷରେ ବକଳଧାରୀ ମହିମା ସାଧୂଙ୍କ ବଡ଼ ମଠ ଭିତରକୁ ଯାଇ ବକଳଧାରୀ ସାଧୂଙ୍କ ସହ ମଧ୍ୟ ଆଲୋଚନା କରିଥିଲେ କେନ୍ଦ୍ର ମନ୍ତ୍ରୀ । ଯୋରନ୍ଦା ମାଘ ମେଳା ଅବସରରେ ଗାଦିର ଉଭୟ ଗୋଷ୍ଠୀର ମହିମା ସନ୍ନ୍ୟାସୀଙ୍କୁ ବୃହତ ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ।
ମାଘ ମେଳା ଅବସରରେ ଆସିବାର ସୌଭାଗ୍ୟ ଅର୍ଜନ କରିଥିବାରୁ ନିଜକୁ ସୌଭାଗ୍ୟବାନ ମନେ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମହିମା ସ୍ୱାମୀଙ୍କ ଦ୍ୱାରା ସମାଜର ବଞ୍ଚିତ ବର୍ଗଙ୍କୁ ଏକଜୁଟ କରିବା ସହିତ ସନ୍ଥକବି ଭୀମଭୋଇଙ୍କ ରଚନା ଓ ସାହିତ୍ୟ ମାଧ୍ୟମରେ ସମାଜରେ ଏକତା ଆଣିବାରେ ଏହା ଏକ ଅନନ୍ୟ ପରମ୍ପରା ବୋଲି କହିଛନ୍ତି ଧର୍ମେନ୍ଦ୍ର । ଲକ୍ଷାଧିକ ଭକ୍ତ ଏହି ମାଘମେଳା ପାଇଁ ଏକାଠି ହୁଅନ୍ତି ଓ ମହିମା ଗୋସାଇଁଙ୍କ ତତ୍ତ୍ୱ ଉପରେ ଆସ୍ଥା ମଧ୍ୟ ପ୍ରକଟ କରନ୍ତି ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।