ଢେଙ୍କାନାଳ: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ପାଳନ ହେଉଛି ଆଜାଦୀ କା ଅମୃତ ମହୋତ୍ସବ । ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩, ୧୪ ଓ ୧୫ରେ ସ୍ୱାଧୀନତା ଦିବସ ଅବସରରେ ଦେଶବ୍ୟାପୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ପତାକା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ଏଥିପାଇଁ ହର ଘର୍ ତ୍ରିରଙ୍ଗା ସ୍ଲୋଗାନରେ ପଦଯାତ୍ରା ଆରମ୍ଭ ହୋଇଛି । ଏହିପରିପ୍ରେକ୍ଷୀରେ ବିଶ୍ୱର ସର୍ବ କନିଷ୍ଠ ଶହୀଦ ବାଜି ରାଉତଙ୍କ ଜନ୍ମ ମାଟି ଢେଙ୍କାନାଳର ଭୁବନରେ ଆଜି(ରବିବାର) ଅନୁଷ୍ଠିତ ହୋଇଛି ତ୍ରିରଙ୍ଗା ପଦଯାତ୍ରା । କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ଥିବା ଦେଖିବାକୁ ମିଳିଛି ।
ଏହି ଅବସରରେ ଓଡିଶା ମାଟିର ଜଣେ ଆଦିବାସୀ ସଧାରଣ ଘରର ଝିଅ ଦେଶର ସର୍ବୋଚ୍ଚ ପ୍ରଶାସନିକ ଆସନ ରାଷ୍ଟ୍ରପତି ପଦରେ ଅଳଙ୍କୃତ ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ତେବେ ଆଜିର ତ୍ରିରଙ୍ଗା ପଦଯାତ୍ରା କାର୍ଯ୍ୟକ୍ରମ ଭୁବନ ପାଲା ମଣ୍ଡପ ଠାରୁ ସକାଳ ୮ଟା ସମୟରେ ବାହାରିଥିଲା । କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ପରେ ତ୍ରିରଙ୍ଗା ପଦଯାତ୍ରାରେ ଯୋଗ ଦେଇଥିଲେ । ପଦଯାତ୍ରା ଭୁବନ ପରିକ୍ରମା କରି ନୀଳକଣ୍ଠ ପୁର ଶହୀଦ ବାଜି ରାଉତଙ୍କ ଜନ୍ମପୀଠରେ ପହଞ୍ଚିଥିଲା । ନୀଳକଣ୍ଠପୁର ଠାରେ ଶହୀଦ ବାଜି ରାଉତଙ୍କ ସ୍ମୃତି ସ୍ତମ୍ଭରେ କେନ୍ଦ୍ରମନ୍ତ୍ରୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ତ୍ରିରଙ୍ଗା ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ବିଜେପି କର୍ମୀ, ସ୍ଥାନୀୟ ବାସିନ୍ଦା ଏବଂ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ । ପ୍ରତ୍ୟେକଙ୍କ ହାତରେ ତ୍ରିରଙ୍ଗା ପତାକା ସାଙ୍ଗକୁ ଦେଶାତ୍ମବୋଧ ସ୍ଲୋଗାନରେ ସାରା ଭୁବନ ପ୍ରକମ୍ପିତ ହୋଇଥିଲା । ପରେ ପରେ ପୂର୍ବାହ୍ନ ୧୧ଟା ସମୟରେ ଢେଙ୍କାନାଳ ସହରର ପୁରୁଣା ଜିଲ୍ଲାପାରିଷଦ ସଭାଗୃହରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।