ଢେଙ୍କାନାଳ: ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବେଢାପାଳ ଗାଁରେ ଛାତ ପକା ଭୋଜି ଖାଇ ଦୁଇ ଶ୍ରମିକ ମୃତ୍ୟୁ ଘଟଣା । ଦୂଷିତ ପାନୀୟ ଜଳ ଯୋଗୁଁ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି । ଫଳରେ ବେଢାପାଳ ଗାଁରେ ଡାକ୍ତରୀ ଦଳ, ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ପହଞ୍ଚି ଲୋକଙ୍କୁ ସଚେତନ କରାଉଛନ୍ତି ।
ସୂଚନାଯୋଗ୍ୟ, ଗତ ଗୁରୁବାର ବେଢାପାଳ ଗ୍ରାମର ସବେଇ ବେହେରାଙ୍କ ଘର ଢଳେଇ ପଡୁଥିଲା । ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ପାଇଁ ସବେଇଙ୍କ ଘରେ ଭାତ, ଡାଲି, ଚିକେନ ତରକାରୀ ଇତ୍ୟାଦି ଖାଦ୍ୟ ରନ୍ଧା ଯାଇଥିଲା । କାମ ସରିବା ପରେ ନିୟୋଜିତ ଶ୍ରମିକମାନେ ସେସବୁ ଖାଇଥିଲେ । କାମସାରି ଘରକୁ ଆସିବା ପରେ ଶ୍ରମିକମାନଙ୍କ ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ହୋଇଥିଲା । ଫଳରେ ଢଳେଇ କାର୍ଯ୍ୟରେ ନିୟୋଜିତ 20ରୁ ଊର୍ଦ୍ଧ୍ବ ଶ୍ରମିକ ଗୁରୁତର ହୋଇ କଟକ ଓ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।