ଢେଙ୍କାନାଳ:୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବାଇକ ଉପରେ ଚଢିଗଲା କୋଇଲା ବୋଝେଇ ଟ୍ରକ। ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ହିଁ ବାଇକରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ । ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁର ଛକରେ ଏହି ଦୁର୍ଘଟଣା ଘଟିଛି ।
ମୃତକ ଦୁଇଜଣ କାମାକ୍ଷାନଗର ତୁମୁସିଂହା ଅଞ୍ଚଳର ବୋଲି ବାଇକ ନମ୍ବରରୁ ଅନୁମାନ କରାଯାଇଛି । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧାରେ ଅଟକି ରହିଥିବା ଓ ତତକ୍ଷଣାତ ରାସ୍ତା ଡାଇଭର୍ସନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରକୁ ସ୍ଥାନୀୟ ଲୋକେ କାବୁ କରି ଟ୍ରକ ସହ ଗୋବିନ୍ଦପୁର ଫାଣ୍ଡି ପୋଲିସର ଜିମା ଦେଇଛନ୍ତି । ଦୁର୍ଘଟଣା ସ୍ଥାନରେ ସଦର ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି । ଅନ୍ୟପଟେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।