ଢେଙ୍କାନାଳ: ବିରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ବେଳେ ଖସି ପଡ଼ିଲା ଟ୍ରେନର ବିମାନ । ଫଳରେ ଟ୍ରେନି ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଟ୍ରେନି ପାଇଲଟ ମହାରାଷ୍ଟ୍ରର କରଣ ମଲ୍ଲିକ ବୋଲି ଜଣାପଡ଼ିଛି ।
ଏହି ବିମାନଟି ଉଡାଣ ଆରମ୍ଭ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନରେ ଜଣେ ମାତ୍ର ପ୍ରଶିକ୍ଷାର୍ଥୀ ଥିଲେ । ବିମାନଟି ଟେକ୍ ଅଫ୍ କରିବା ସମୟରେ ଖସି ପଡ଼ି ପାଖରେ ଥିବା ଡ୍ରେନ୍ରେ ମାଡ଼ ହୋଇଥିଲା । ଏହି ସମୟରେ ଟ୍ରେନି ପାଇଲଟ ଜଣକ ବିମାନରୁ ଡେଇଁପଡ଼ି ନିଜ ଜୀବନ ରକ୍ଷା କରିଛନ୍ତି ।
ଆଜି ଆପରାହ୍ଣ ପ୍ରାୟ ୨.୩୦ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି । ଜଣେ ଟ୍ରେନି ପାଇଲଟ ବିମାନ ଉଡାଇବା ବେଳେ ହୋଇଛି ଦୁର୍ଘଟଣା । ଉଡ଼ାନ ଭରି VT-EUW ବିମାନଟି ତଳକୁ ଖସିବା ବେଳେ ପ୍ରାୟ ୧୫ଫୁଟ ଉଚରୁ ଖସି ପଡିଛି । ତେବେ ବିମାନ ଚଳାଉଥିବା ଟ୍ରେନି ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେ ଏହି ପ୍ରଶିକ୍ଷଣ କେନ୍ଦ୍ରର ପ୍ରଥମ ବର୍ଷର ଛାତ୍ର । ତାଙ୍କ ମୁହଁରେ ଆଘାତ ଲାଗି ନାକରେ ସାମାନ୍ୟ କ୍ଷତ ହୋଇଥିବା ଜଣାପଡିଛି । ସ୍ଥାନୀୟ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କ ଚିକିତ୍ସା କରାଯାଇଛି । ଏହି ବିମାନ ରେ କେବଳ କରଣ ଏକୁଟିଆ ଥିଲେ ।