NH-୫୫ରେ ମର୍ମନ୍ତୁଦ ବସ ଦୁର୍ଘଟଣା ଢେଙ୍କାନାଳ/କଟକ:ଜାତୀୟ ରାଜପଥ-୫୫ରେ ପଞ୍ଚୁଵଟୀ ନିକଟରେ ଟୁରିଷ୍ଟ ବସ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରୁ ୩ଶିଶୁ ସମେତ ୨୨ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ହରିଶଙ୍କରରୁ କେନ୍ଦ୍ରାପଡା ଫେରିବା ବେଳେ ୨୫ ଫୁଟ ପୋଲ ତଳକୁ ଖସି ଟୁରିଷ୍ଟ ବସଟି ଖସିପଡ଼ିଥିବା ସୂଚନା ମିଳିଛି ।
ହରିଶଙ୍କର ନୃସିଂହନାଥରୁ ଦର୍ଶନ ସାରି କେନ୍ଦ୍ରାପଡା ଫେରୁଥିବା ନୀଳମାଧଵ ନାମକ ଟୁରିଷ୍ଟ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଢେଙ୍କାନାଳ ସଦର ଥାନା ପଞ୍ଚୁଵଟୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏହି ଟୁରିଷ୍ଟ ବସ । ୫୫ନମ୍ବର ଜାତୀୟ ରାଜପଥର ଅଧା କାମ ହୋଇ ପଡ଼ି ରହିଥିବା ରେଙ୍ଗାଲି କେନାଲର ପୋଲ ପ୍ରାୟ ୨୫ଫୁଟ ତଳକୁ ଖସିଯାଇଛି ବସ । ପୋଲ ତଳକୁ ଖସିପଡ଼ିବା ପରେ ପୋଲ ତଳେ ରହିଥିବା ଏକ ବିରାଟ ପିଲାରରେ ବସଟି ଧକ୍କା ଖାଇଥିଲା । ଘଟଣାସ୍ଥଳରେ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି ।
ଏହା ବି ପଢନ୍ତୁ-ବରମୁଣ୍ଡା ବସଷ୍ଟାଣ୍ଡରେ ହୁତ୍ହୁତ୍ ହୋଇ ଜଳିଲା ଯାତ୍ରୀବାହୀ ବସ୍
ବସରେ ଥିବା ସମସ୍ତ ଗୁରୁତର ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ ସଦର ପୋଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଶିଶୁଙ୍କ ସମେତ ୨୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସସିବିକୁ ସ୍ଥାନନ୍ତରିତ କରାଯାଇଛି । ମୃତ ମହିଳା ୨ଜଣ କେନ୍ଦ୍ରାପଡା ବଜାରର ଇଚ୍ଛାପୁର ସାହିର ରେଣୁବାଳା ଜେନା ଓ ଜାଙ୍ଗୁଳିପଦାର ବିଜୟଲଷ୍ମୀ ସ୍ବାଇଁ ବୋଲି ଜଣାପଡିଛି । ଅପରପକ୍ଷରେ ବସରେ ମୋଟ ୪୭ଜଣ ଯାତ୍ରୀ ରହିଥିଲେ । ସମସ୍ତେ କେନ୍ଦ୍ରାପଡା ସହରର ଇଚ୍ଛାପୁର, ଜାଙ୍ଗୁଳିପଡା ଓ ବାରଙ୍ଗ ସାହିର ବୋଲି ଜଣାପଡିଛି ।
ଗତ ଶୁକ୍ରବାର ଏହି ଯାତ୍ରୀମାନେ କେନ୍ଦ୍ରାପଡ଼ାରୁ ଏକ ବସ ଯୋଗେ ହରିଶଙ୍କର, ନୃସିଂହନାଥ ଓ ସମ୍ବଲପୁର ସମଲେଇ ମନ୍ଦିର ଦର୍ଶନ ସାରି କେନ୍ଦ୍ରାପଡ଼ାକୁ ଫେରୁଥିଲେ । ଆଜି ଭୋର ପ୍ରାୟ ୪ଟା ସମୟରେ ବସ୍ଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଆହତ ଯାତ୍ରୀମାନେ ପ୍ରକାଶ କରିଛନ୍ତି । NH ରାସ୍ତା ସମ୍ପ୍ରସାରଣ ପାଇଁ ତିଆରି ଚାଲିଥିବା ପୋଲ ପାଖରେ କୌଣସି ସୂଚନା ଫଳକ ବା ଚିହ୍ନ ନଥିବା ଓ ଦ୍ରୁତ ବେଗ ହିଁ ଦୁର୍ଘଟଣାର କାରଣ ବୋଲି ଅନୁମାନ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଦୁର୍ଘଟଣାସ୍ଥଳରେ ଜାତୀୟ ରାଜପଥ ଅବରୋଧ କରିଥିଲେ ।
NHAI କର୍ତ୍ତୃପକ୍ଷ ଓ ରାସ୍ତା କାର୍ଯ୍ୟ କରୁଥିବା ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ମୃତାହତମାନଙ୍କୁ ଆର୍ଥିକ ସହାୟତା ଦାବି କରିଥିଲେ । ଫଳରେ କଟକ ସମ୍ବଲପୁର ମଧ୍ୟରେ ଦୀର୍ଘ ୨ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ସଂଖ୍ୟାରେ ଗାଡିମଟର ଠିଆ ହୋଇ ରହିଥିଲା । ଖବର ପାଇ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠି, SDPO, ସଦର ଥାନା ପୋଲିସ ଆଦି ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧରୁ ହଟିଥିଲା । ଆହତ ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ସେମାନଙ୍କ ଘରକୁ ସ୍ବତନ୍ତ୍ର ଗାଡ଼ି ଯୋଗେ ପଠାଇବା ପାଇଁ ବ୍ୟବସ୍ଥା କରିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।
SCB ଜରୁରୀକାଳୀନ ଅଧିକାରୀଙ୍କ ପ୍ରତିକ୍ରିୟା:-ଢେଙ୍କାନାଳ ବସ ଦୁର୍ଘଟଣାରେ ଏସସିବି କାଜୁଆଲିଟିରେ ମୋଟ ୨୨ ଜଣ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୩ ପୁରୁଷ, ୬ ଜଣ ମହିଳା ଏବଂ ୩ ଶିଶୁ ରହିଛନ୍ତି । ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ମଲ୍ଟିପୁଲ୍ ଇଞ୍ଜୁରୀ ରହିଛି । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପ୍ରାଥମିକ ଅବସ୍ଥାରେ ସମସ୍ତଙ୍କ ଆଶୁ ଚିକିତ୍ସା ବିଭାଗରେ ରଖାଯାଇ ଚିକିତ୍ସା କରାଯାଇଛି । ଏହାପରେ ସମସ୍ତଙ୍କ ବିଭିନ୍ନ ପରୀକ୍ଷାନିରୀକ୍ଷା କରିବା ପରେ ସମସ୍ତଙ୍କୁ ୱାର୍ଡକୁ ସିଫ୍ଟ କରଯାଇଛି ବୋଲି କହିଛନ୍ତି ଏସସିବି ମେଡିକାଲ ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
ଇଟିଭି ଭାରତ, ଢେଙ୍କାନାଳ ଓ କଟକ