ଢେଙ୍କାନାଳ: ନିର୍ବାଚନ ଫଳାଫଳକୁ ଅନେକ ମାସ ବିତିଲାଣି ହେଲେ ଏବେବି ସରୁନି ଆକ୍ରୋଶ ରାଜନୀତି । ସରିନାହିଁ ନିରୀହ ଭୋଟରଙ୍କ ଉପରେ ନିର୍ବାଚିତ ସରପଞ୍ଚଙ୍କ ଆକ୍ରୋଶ । ଏପରିକି ବିଜୟୀ ସରପଞ୍ଚ ସମର୍ଥକମାନେ ଅନ୍ୟ ଗୋଷ୍ଠୀଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ନିର୍ବାଚନ ବିବାଦରୁ କେନ୍ଦ୍ରକରି ସରପଞ୍ଚ ସମର୍ଥକମାନେ ଆକ୍ରମଣ କରିବା ସହ ଗାଁ ଛାଡି ଯିବାକୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି । ଏହାସହ ନିଜକୁ ଓ ନିଜ ପରିବାରର ସୁରକ୍ଷା ପାଇଁ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।
ଏପରି ଅଭିଯୋଗ ନେଇ ନିଜର ସୁରକ୍ଷା ପାଇଁ ଢେଙ୍କାନାଳ ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲକଲୁଣ୍ଡି ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆକ୍ରମଣର ଶିକାର ହୋଇ ଭୟଭୀତ ଅବସ୍ଥାରେ ଗୋଟିଏ ଗୋଷ୍ଠୀର ଲୋକେ ଢେଙ୍କାନାଳ ଏସପିଙ୍କୁ ସୁରକ୍ଷା ପାଇଁ ଦାବିପତ୍ର ଦେଇଛନ୍ତି । ତେବେ ଟୋଲକଲୁଣ୍ଡି ଗ୍ରାମରେ ଉଭୟ ଗୋଷ୍ଠୀ ମଧ୍ୟରେ ଘଟିଥିବା ଗଣ୍ଡଗୋଳକୁ ନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଆଉ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ସଜାଗ ଅଛି ବୋଲି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି ।
ଅତିରିକ୍ତ ଏସପି ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି,‘‘ଲୋକଙ୍କ ସମସ୍ୟାକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି । ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।’’