ଢେଙ୍କାନାଳ: ବିଦ୍ୟାଳୟ ଗୁଡିକ ଭେଦଭାବ ଶୂନ୍ୟ ଓ ଦଣ୍ଡମୁକ୍ତ ଅଞ୍ଚଳ ବୋଲି ସରକାର ଘୋଷଣା କରୁଥିଲେ ମଧ୍ୟ ବାସ୍ତବିକତା କିନ୍ତୁ ଠିକ ଓଲଟା। ଢେଙ୍କାନାଳ ଜିଲ୍ଲାର ବହୁ ପୁରାତନ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଏହାର ଏକ ଜ୍ବଳନ୍ତ ଉଦାହରଣ ହୋଇଛି। ସେହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜଣେ ଛାତ୍ରଙ୍କୁ ଅଶାଳୀନ ବ୍ୟବହାର ସାଙ୍ଗକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟତ୍ରୀଙ୍କ ମାଡରେ ସ୍କୁଲର ଜଣେ ୧୦ମ ଶ୍ରେଣୀ ଛାତ୍ର ଆହତ ହୋଇ ଚିକିତ୍ସିତ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ଟାଉନ ଥାନାରେ ଲିଖିତ ଭାବେ ଗୁହାରି କରିଛନ୍ତି।
ଖବରମୁତାବକ, ସେହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୌସୁମୀ ସାହୁଙ୍କ ନାମରେ ଉଠିଛି ସଙ୍ଗୀନ ଅଭିଯୋଗ। ରାଜା ବାରିକ ନାମକ ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରକୁ କ୍ଲାସରୁମ ଫ୍ୟାନ ସୁଇଚ୍ ଭଙ୍ଗାକୁ ନେଇ ଅଶାଳୀନ ବ୍ୟବହାର ପରେ କାନ ମୂଳକୁ ଅମାନୁଷିକ ଭାବେ ୫ଚାପୁଡା ମାରିଥିବାରୁ ସେ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭୟଭୀତ ହୋଇ ଆହତ ଛାତ୍ର ଜଣଙ୍କ ପ୍ରଧାନ ଶିକ୍ଷୟତ୍ରୀ ଥିବା ଯାଏ ଆଉ ସ୍କୁଲକୁ ଯିବେ ନାହିଁ ବୋଲି ପ୍ରକାଶ କରିଛନ୍ତି।