ଢେଙ୍କାନାଳ:ମହାମାରୀ କୋଭିଡରୁ ସୁରକ୍ଷା ପାଇଁ ଟୀକାକରଣ ପ୍ରକ୍ରିୟା ଚାଲୁ ରହିଛି । ଏ ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିନ୍ନକ୍ଷମ ଓ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଆଜିଠାରୁ ସ୍ବତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏପରିକି ସହର ରେଳଷ୍ଟେସନ ତଳି ଅଞ୍ଚଳରେ ରହୁଥିବା କୁଷ୍ଠ ପୀଡିତ ଓ ଭିନ୍ନକ୍ଷମ ବସ୍ତିରେ ଯାଇ ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ର ଆୟୋଜନ ମାଧ୍ୟମରେ କୋଭିଡ଼ ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଛି ।
ଏହି ଭିନ୍ନକ୍ଷମ ବସ୍ତି, ସଞ୍ଜୟ କଲୋନୀରେ ଭିକ୍ଷାକରି ଜୀଵନ ଧାରଣ କରୁଥିବା ପ୍ରାୟ 2ଶହରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ଓ କୁଷ୍ଠ ଆକ୍ରାନ୍ତ ଲୋକ ବସବାସ କରନ୍ତି । ଏହା ସହ ପାଖ ବସ୍ତିରେ ପ୍ରାୟ ଶହେ ଲୋକ ରହି ଭିକ୍ଷାବୃତ୍ତିରେ ଚଳନ୍ତି । ତେବେ ଏମାନଙ୍କ ଯିବା ଆସିବା ପାଇଁ ରାସ୍ତା ନ ଥିବାବେଳେ ଟ୍ରେନ ଲାଇନ ପାର ହୋଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରନ୍ତି ଏମାନେ । ଆଜି ପର୍ଯ୍ୟନ୍ତ ଏମାନଙ୍କ ପକ୍ଷରେ ଟୀକାକରଣ କେନ୍ଦ୍ରକୁ ଯାଇ ଟିକା ନେବା ସମ୍ଭବପର ହୋଇପାରିନାହିଁ । ଏପରି ଲୋକ ଓ ବସ୍ତିବାସୀଙ୍କ ପାଇଁ ଢେଙ୍କାନାଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ ।ଏହି ବସ୍ତି ଗୁଡିକୁ ଯାଇ ସ୍ବତନ୍ତ୍ର ଟୀକାକରଣ କ୍ୟାମ୍ପ ମାଧ୍ୟମରେ ଆଜି ଠାରୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି ।