ଢେଙ୍କାନାଳ: ଜାଗା ବାଡ଼ିକୁ ନେଇ ବାପା ପୁଅ ଭିତରେ ରକ୍ତାକ୍ତ ରୂପ ନେଇଛି ବିବାଦ । ଏପରିକି ଭାଗ ବାଣ୍ଟିବାକୁ ଦାବି କରି ବିଫଳ ହେବାରୁ ଏକ ଟାଙ୍ଗିଆରେ ବାପାକୁ ଅତି ନୃଶଂସ ଭାବେ ହତ୍ୟା କରି ପୁଅ ଫେରାର ହୋଇଯାଇଛି । ତେବେ ପ୍ରତିବାଦ କରିବାକୁ ଯାଇ ଭଉଣୀ ମଧ୍ୟ ଭାଇର ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମର ଆମ୍ବତୈଲା ସାହିରେ ଘଟିଛି ଏହି ହତ୍ୟାକାଣ୍ଡ ।
ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ଡ଼ଙ୍ଗାପାଳ ଗ୍ରାମର ସନାତନ ମାହୁନ୍ତ ବୋଲି ଜଣାପଡିଛି । ସନାତନଙ୍କ ମୁଣ୍ଡରେ ଗଭୀର ଚୋଟ ଲାଗିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ପାଇ କଙ୍କଡାହାଡ଼ ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାକୁ ନେଇଛି । ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପୁଅ ତପନ ମାହୁନ୍ତ ଫେରାର ହୋଇଯାଇଛି ।