ଢେଙ୍କାନାଳ:ଓଡ଼ିଶାର ଯୁବପୀଢ଼ିଙ୍କୁ ନିଯୁକ୍ତି ସୁଯୋଗ ଦେବା ଲାଗି ଆରମ୍ଭ ହୋଇଛି କୌଶଳ ମହୋତ୍ସବ (Skill Ministry schedules Kaushal Mahotsav)। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠାରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଏହି କୌଶଳ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରୋଜଗାର ମେଳାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଦକ୍ଷ ଓ ଯୋଗ୍ୟତା ହାସଲ କରିଥିବା ବେକାରୀ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଓ ତାଲିମ ସ୍ୱୀକୃତି ପତ୍ର ପ୍ରଦାନ କରିଛନ୍ତି ।
ଫଳରେ ହଜାର ହଜାର ସଂଖ୍ୟାରେ ବେକାରୀ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ରୋଜଗାରର ସୁଯୋଗ ସୃଷ୍ଟି କରିଥିବାରୁ ବେଶ ଉତ୍ସାହିତ ହୋଇପଡିଛନ୍ତି । ଯୁବ ଶକ୍ତିକୁ ସଶକ୍ତିକରଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ପୂରଣ କରିବା ଦିଗରେ ଆମ ରାଜ୍ୟରେ ଆରମ୍ଭ ହୋଇଛି ପଦକ୍ଷେପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବାକୁ ଯାଇ କୌଶଳ ମହୋତ୍ସବର ପରିକଳ୍ପନା ଏବେ ବାସ୍ତବ ରୂପ ନେଉଛି ।
ଏହି ଅବସରରେ ଆୟୋଜିତ ରୋଜଗାର ମେଳା ମାଧ୍ୟମରେ ଢେଙ୍କାନାଳ ସମେତ ରାଜ୍ୟ ଓ ରାଜ୍ୟ ବାହାରର ଯୁବକ ମାନଙ୍କ ପାଇଁ ହଜାର ହଜାର ନିଯୁକ୍ତିର ସୁଯୋଗ ପ୍ରଦାନ ପ୍ରୟାସ କରାଯାଇଛି। ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମେଳାରେ ସଫଳ ଯୁବଗୋଷ୍ଠୀଙ୍କୁ ବିଭିନ୍ନ ନାମୀ ଦାମୀ କମ୍ପାନୀର ନିଯୁକ୍ତି ଓ ତାଲିମ ଆଦି ଅଫର ପତ୍ର ପ୍ରଦାନ କରିଛନ୍ତି । ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ତତ୍ୱବାଧାନରେ ଅନୁଷ୍ଠିତ ଏହି ରୋଜଗାର ମେଳାରେ ବିଭିନ୍ନ ଦକ୍ଷତା ତାଲିମ ଓଡ଼ିଶାର ଯୁବଗୋଷ୍ଠୀଙ୍କୁ ସଶକ୍ତିକରଣ କରିବା ସହ ଆତ୍ମନିର୍ଭରଶୀଳ କରାଇବ ।
ଏହା ରାଜ୍ୟ ବାହାର ତଥା ଆନ୍ତର୍ଜାତିକସ୍ତରରେ ଭାରତର କୁଶଳୀ ଶ୍ରମିକଙ୍କ ଅଭିବୃଦ୍ଧିର ସୁଯୋଗ ମଧ୍ୟ ପ୍ରଦାନ କରିବ । ଏହି ମେଳାର ନିଯୁକ୍ତି କର୍ମଶାଳା ଶିଳ୍ପ ଓ ପ୍ରତିଭା ମଧ୍ୟରେ ଚାହିଦା ତଥା ଯୋଗାଣ ବ୍ୟବଧାନକୁ ହ୍ରାସ କରିବା ସହ କୁଶଳିଯୁବକ ମାନଙ୍କ ପାଇଁ ଅନନ୍ୟ ପ୍ଲାଟଫର୍ମ ପାଇବାର ସୁଯୋଗ ସୃଷ୍ଟି କରିବ ବୋଲି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।