ଢେଙ୍କାନାଳ:ମହାମାରୀ କୋରୋନାର ଭୟ ମଣିଷ ପାଖରୁ ହଜାଇ ଦେଉଛି ମାନବିକତା । ଫଳରେ ଗତ ବର୍ଷ ଜଣେ କୋଭିଡ ପଜିଟିଭ ବ୍ୟକ୍ତିଙ୍କର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ପଡି ଛଟପଟ ହୋଇ ମୃତ୍ୟୁ ହୋଇଥିବା ପରି ଅମାନବୀୟ ଘଟଣା ଲୋକଙ୍କ ମନରୁ ଲିଭିନି । ଏପରିସ୍ଥଳେ ଆଜି (ଶୁକ୍ରବାର) ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା କୋଭିଡ ଟେଷ୍ଟିଂ ସେଣ୍ଟର ସମ୍ମୁଖରେ ପୁଣି ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
କୋଭିଡ ସେଣ୍ଟର ସମ୍ମୁଖରେ ଗୁରୁତର କୋଭିଡ ପଜିଟିଭ ମହିଳାଙ୍କ ମୃତ୍ୟୁ ଏପରିକି ଏହି କୋଭିଡ ଟେଷ୍ଟିଂ ସେଣ୍ଟରରୁ ଟେଷ୍ଟ ପରେ ଜଣାପଡ଼ିଥିବା ଜଣେ କୋଭିଡ ପଜିଟିଭ ମହିଳାଙ୍କ ମୃତଦେହ ଦୀର୍ଘ ଦେଢ଼ ଘଣ୍ଟା ସମୟ ପଡି ରହିଥିଲେ ମଧ୍ୟ କେହି କର୍ମଚାରୀ ପାଖକୁ ଆସି ନଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଖବର ଦେବାରୁ ସେ ପହଞ୍ଚି ମୃତଦେହକୁ ଶବ ସରଂକ୍ଷଣ କେନ୍ଦ୍ରକୁ ନେଇ ରଖିଥିବା ଜଣାପଡିଛି । ମୃତ ମହିଳାଙ୍କ ଘର ଢେଙ୍କାନାଳ ଜୋରନ୍ଦା ଅଞ୍ଚଳରେ । ତାଙ୍କ ସ୍ୱାମୀ କୋଭିଡ ସଂକ୍ରମିତ ହୋଇ ଢେଙ୍କାନାଳ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ରବିବାର ଠାରୁ ଭର୍ତ୍ତି ହୋଇଛନ୍ତି । ତେବେ ଏହି ମହିଳା ଗତ ଦୁଇ ତିନିଦିନ ହେଲା ଜ୍ୱରରେ ପୀଡିତ ଯୋଗୁଁ ଆଜି ପରିବାର ପକ୍ଷରୁ ଚିକିତ୍ସା ପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ।
ମାତ୍ର କୋଭିଡ ଟେଷ୍ଟ ପାଇଁ ଡାକ୍ତରଖାନା ପରିସରରେ ଥିବା କୋଭିଡ ସେଣ୍ଟରରେ ଟେଷ୍ଟିଂ କରିବାରେ ପଜେଟିଭ ଥିବା ଜଣାପଡିଥିଲା । ପରେ ତାଙ୍କୁ ଘରେ ଆଇସୋଲେସନରେ ରହିବା ପାଇଁ ଫେରିବା ବେଳେ ବାଟରେ ଗୁରୁତର ହେବାରୁ ପରିବାର ଲୋକେ ପୁଣି ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ହେଲେ କୋଭିଡ ପଜିଟିଭ ଶୁଣି କେହି କର୍ମଚାରୀ ପାଖକୁ ଆସିବା ତ ଦୁରେ ଥାଉ ପାଲଟା ସୁରକ୍ଷାକର୍ମୀମାନେ ତାଙ୍କୁ ଡାକ୍ତରଖାନା ଭିତରକୁ ପଶିବାକୁ ଦେଇନଥିଲେ । ଫଳରେ ମୁଖ୍ୟ ଡାକ୍ତର ଖାନା ପରିସର କୋଭିଡ ସେଣ୍ଟର ସମ୍ମୁଖରେ ଖୋଲା ଆକାଶ ତଳେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।
ଦୀର୍ଘ ଦେଢ଼ ଘଣ୍ଟା ଧରି ଏହି ମହିଳା ପଡି ରହିଥିବା ବେଳେ କେହି ଜଣେ ମଧ୍ୟ କର୍ମଚାରୀ ଚିକିତ୍ସା କରିବା ଦୁରରେ ଥାଉ ପାଖକୁ ଆସିନଥିଲେ । ଫଳରେ ମହିଳାଙ୍କ ମୃତ୍ୟୁ ଘଟିଥିବା ଘଟଣା ବେଶ ଆଲୋଡନ ସୃଷ୍ଟି କରିଛି । କୋଭିଡ ସଂକ୍ରମଣ ଭୟ ସମସ୍ତଙ୍କ ମାନବିକତାକୁ ହଜାଇ ଦେଇଥିଲା ବୋଲି ପ୍ରକାଶ କରିଛନ୍ତି ମୃତ ମହିଳାଙ୍କ ସମ୍ପର୍କୀୟ । ସେପଟେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚିବା ପରେ ମୃତ ମହିଳାଙ୍କ ମୃତଦେହ କର୍ମଚାରୀଙ୍କ ମାଧ୍ୟମରେ ସରଂକ୍ଷଣ କେନ୍ଦ୍ରକୁ ନିଆଯାଇଥିବା ଜଣାପଡିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ