ଢେଙ୍କାନାଳ: ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଶିକ୍ଷୟତ୍ରୀ । ଜିପିଏଫ ଆବେଦନ କରିଥିଲେ ମଧ୍ୟ ଶୁଣୁନଥିଲେ ପ୍ରଧାନ ଶିକ୍ଷୟିତ୍ରୀ, ଏନେଇ ପଚାରିବାରୁ ଶିକ୍ଷୟତ୍ରୀଙ୍କ କାନ ମୋଡି ସ୍କୁଲରୁ ବାହାର କରିଦେଲେ ପ୍ରଧାନ ଶିକ୍ଷୟିତ୍ରୀ । ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ଶିକ୍ଷୟିତ୍ରୀ ସୌଦାମିନୀ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳର ସର୍ବ ପୁରାତନ ସ୍କୁଲ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ । ଏପରି ଅଭିଯୋଗକୁ ନେଇ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀଙ୍କ ମହଲରେ ତୀଵ୍ର ଆଲୋଡ଼ନ ସୃଷ୍ଟି କରିଛି ।
ଅଭିଯୋଗ କରିଥିବା ଶିକ୍ଷୟତ୍ରୀ ଜଣଙ୍କ ସୌଦାମିନୀ ଦେହୁରୀ ଓ ସେ ଗତ ୩ମାସ ହେଲା ଅନ୍ୟ ସ୍କୁଲରୁ ଏହି ଏସଡି ବାଳିକା ଉଚ୍ଚ ବିଦ୍ୟାଳୟକୁ ସହକାରୀ ଶିକ୍ଷକ ଭାବେ ବଦଳି ହୋଇ ଆସିଛନ୍ତି । ସୌଦାମିନୀ ଗତ ଏକ ମାସ ହେଲା ଛୁଟିରେ ରହିଥିବା ପ୍ରକାଶ କରିଛନ୍ତି । ତାଙ୍କ ଅଭିଯୋଗ ହେଲା ତାଙ୍କ ଝିଅ ପାଇଁ ଜରୁରୀ ଥିବାରୁ ସେ ଜିପିଏଫ ଆବେଦନ କରିଥିଲେ । ମାତ୍ର ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତାଙ୍କ କଥା ଶୁଣୁ ନଥିବା ବେଳେ ବିଭିନ୍ନ ସମୟରେ ତାଙ୍କୁ ଅନ୍ୟ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ନାନା ନିର୍ଯାତନା ଦେଉଥିଲେ । ଫଳରେ ଶିଶୁ ଦିବସ ଅବସରରେ ସେ ସ୍କୁଲକୁ ଯାଇ ପଚାରିବାରୁ ତାଙ୍କ କାନ ମୋଡି ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରୁ ବାହାର କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ଏଥିପାଇଁ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ, ସେ କିଛି ଶୁଣୁ ନଥିବାରୁ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ସୌଦାମିନୀ ।