ଢେଙ୍କାନାଳ: ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏପରି ସ୍ଥିତିରେ ଏଥିରୁ ଵାଦ ପଡିନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଡାକ୍ତରଖାନାରେ କୋରୋନା ଏହାର କାୟା ମେଳାଇଥିବାରୁ ରୋଗୀ ଆତଙ୍କିତ ହୋଇପଡୁଛନ୍ତି । ଇତି ମଧ୍ୟରେ ଜିଲ୍ଲାରେ ୨୩ ଶହ ଟପି ସାରିଲାଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ରୋଗୀ ଓ କର୍ମଚାରୀଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪୦ ଡେଇଁଲାଣି । ଏନେଇ ଆତଙ୍କିତ ଏଠାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ।
କୋରୋନା ସଂକ୍ରମଣକୁ ନେଇ ମନରେ ଭୟ ରହିଥିଲେ ମଧ୍ୟ ସୁସ୍ଥ ହେବା ପାଇଁ ଅନିଚ୍ଛା ସତ୍ୱେ ଡାକ୍ତରଖାନା ଆସୁଥିବା ଅନ୍ୟାନ୍ୟ ରୋଗୀ ପ୍ରକାଶ କରୁଛନ୍ତି । ତେବେ ରୋଗୀଙ୍କ ପାଇଁ ଡାକ୍ତରଖାନାରେ ବିଶେଷ ବ୍ୟବସ୍ଥା ହୋଇଛି । ସ୍ୱତନ୍ତ୍ର ଭାବେ ଜ୍ୱର ଓ ଥଣ୍ଡା କାଶ ପାଇଁ ଅଲଗା ଆଉଟ ଡୋର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଡାକ୍ତରଖାନା ଆସୁଥିବା ରୋଗୀ ଓ ଲୋକଙ୍କୁ ସାନିଟାଇଜ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ସହ ଅଲଗା ଆଣ୍ଟିଜେନ ଟେଷ୍ଟ ମଧ୍ୟ ଚିହ୍ନଟ କରାଯାଉଛି । ତେବେ ଏ ନେଇ ଭୟ ନ କରିବା ପାଇଁ ଜିଲ୍ଲା ଚିକିତ୍ସାଧିକାରୀ ଆଶ୍ବସନା ଦେଇଛନ୍ତି ।
କିନ୍ତୁ ବାସ୍ତବରେ ଏଠାକାର ଚିତ୍ର ଭିନ୍ନ । ନା ସାମାଜିକ ଦୂରତା ରହିଛି , ନା କୌଣସି ସଚେତନତା । ଏହାକୁ ଦେଖିଲେ କୋରନା ସଂକ୍ରମଣ ଆହୁରି ବଢିବାର ଯଥେଷ୍ଟ ଆଶଙ୍କା କରାଯାଉଛି । କେବଳ ନାମକୁ ମାତ୍ର ଦେଖାଣିଆ ସାନିଟାଇଜ କରାଯାଉଛି । ଡାକ୍ତରଖାନାର ଆଉଟ ଡୋର, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ, ଭେଷଜ ବିଭାଗ ଆଦି ୱାର୍ଡରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କ ସ୍ଥିତି ଦେଖିଲେ ସାମାଜିକ ଦୂରତାର ଗନ୍ଧ ବାରି ହେଉନି।