ଢେଙ୍କାନାଳ :ଢେଙ୍କାନାଳରେ ଆରମ୍ଭ ହେଲା ରାହାଗିରି ଉତ୍ସବ (Rahagiri day celebrated in Dhenkanal)। ରାଜରାସ୍ତା ପାଲଟିଲା ଖେଳପଡ଼ିଆ । ବିଭିନ୍ନ ପ୍ରକାରର ନାଚ, ଗୀତରେ ଜମୁଛି ଏହି ପଥୋତ୍ସବ । ଓଡ଼ିଶାରେ ହକି ବିଶ୍ୱକପ ପ୍ରଚାରପ୍ରସାର ପାଇଁ ମଧ୍ୟ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ରାହାଗିରି ମାଧ୍ୟମରେ କରାଯାଇଛି ଏକ ଅଭିନବ ପ୍ରୟାସ । ଏନେଇ ଢେଙ୍କାନାଳ ଟ୍ରାଫିକ ଛକରୁ ଗଣେଶ ବଜାର ଛକ ପର୍ଯ୍ୟନ୍ତ ସହର ମୁଖ୍ୟ ରାସ୍ତା ପାଲଟି ଯାଇଥିଲା ମନୋରଞ୍ଜନର ମାଧ୍ୟମ ।
ଢେଙ୍କାନାଳର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥାର ଉଭୟ ମହିଳା, ପୁରୁଷ, ପ୍ରଶାସନିକ ଅଧିକାରୀ, ଖେଳାଳି ଓ ସାଂସ୍କୃତିକ ଅନୁଷ୍ଠାନ ଏହି ରାହାଗିରିର ସାମିଲ ହୋଇଥିଲେ । ଏହି ଅବସରରେ ମହିଳାମାନଙ୍କ ପକ୍ଷରୁ ଆକର୍ଷଣୀୟ ଝୋଟି, ସାମରିକ କଳା ପ୍ରତିଷ୍ଠାନ ପକ୍ଷରୁ ସାମରିକ କଳା, ଟାଏକୋଣ୍ଡ, କୁସ୍ତି କରାଟେ ସହ ବ୍ୟାଡମିଟନ ଓ କ୍ରିକେଟ ଆଦି ଖେଳ ହୋଇଥିଲା ।
ସେହିପରି ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କୁନିକୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିମଧ୍ୟରୁ ଓଡ଼ିଶୀ ନାଚ ଓ ଆଦିବାସୀ ନୃତ୍ୟ ଲୋକଙ୍କୁ ବେଶ ଆକର୍ଷିତ କରିଥିଲା । ସେହିପରି କାମାକ୍ଷାନଗର ସହରରେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାହାଗିରି ବା ପଥୋତ୍ସବ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଉତ୍ସବ କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ଓ NACର ମିଳିତ ସହଯୋଗରେ ହୋଇଛି । ଉତ୍ସବରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ ।