ଆନନ୍ଦପୁର: ଜିଲ୍ଲାର ବିଭିନ୍ନ ସ୍ଥାନରେ କଖାରୁର ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଶହ ଶହ ଏକର ଜମିରେ ଚାଷ ହୋଇଥିବା କଖାରୁ କିଲୋଗ୍ରାମ ପ୍ରତି 2ଟଙ୍କା ରୁ 3 ଟଙ୍କାରେ ବିକ୍ରି ହେଉଛି । ଏପରିକି ଶହ ଶହ କ୍ବିଣ୍ଟାଲ କଖାରୁ ବିଲରେ ପଚିଯାଇଛି । ବେପାରୀମାନେ ନ ନେବାରୁ ରାସ୍ତା କଡରେ କଖାରୁ ଗଦା ହୋଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ସ୍ଥିତିରେ ସରକାରୀ ସ୍ତରରେ ଶୀତଳ ଭଣ୍ଡାର ଟିଏ ବା କୃଷକ ବଜାର ଟିଏ ପ୍ରତିଷ୍ଠା ମଧ୍ୟ ହୋଇପାରି ନାହିଁ ।
ଆନନ୍ଦପୁର ମ୍ୟୁନିସିପାଲିଟି 1ନଂ ଓ 2ନଂ ଓ୍ବାର୍ଡ ଅନ୍ତର୍ଗତ ପଦ୍ମପୁର ଗାଁରେ ଗତ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏଠାକାର ଚାଷୀ କଖାରୁ ଓ ବିଭିନ୍ନ ପନିପରିବା ଚାଷ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ଏପରିକି ସେମାନେ ଜିଲ୍ଲା ବାହାରକୁ କଖାରୁ ସହ ଅନ୍ୟ ପନିପରିବା ରପ୍ତାନୀ କରି ଦୁଇ ପଇସା ଲାଭ ପାଇଥାନ୍ତି । ଲଗାଣ ବର୍ଷାରେ କଖାରୁ ନଷ୍ଟ ହେବା ସହ ଅଭାବୀ ବିକ୍ରି ଚାଷୀଙ୍କର ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି । କଖାରୁର ଅଭାବି ବିକ୍ରି ସାଙ୍ଗକୁ ବ୍ୟବସାୟୀଙ୍କ ଲାଭଖୋର ମନୋଭାବ ଓ ସରକାରଙ୍କ ଉଦାସୀନତା ଚାଷୀଙ୍କ ପାଇଁ ବେଡି ଉପରେ କୋରଡା ମାଡ ସଦୃଶ ହୋଇଛି ।