ଢେଙ୍କାନାଳ: ଆଜି ନବୀନଙ୍କ ଟିମର ନବକଳେବର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି ୨୧ ମନ୍ତ୍ରୀ । ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ୮ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଢେଙ୍କାନାଳ କାମାକ୍ଷାନଗରରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ପ୍ରଫଲ୍ଲ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି ।
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କ ଜନ୍ମ ୧୯୪୭ ମସିହାରେ ହୋଇଥିଲା । ବର୍ତ୍ତମାନ ୭୫ ବର୍ଷରେ ପଦାର୍ପଣ କଲେଣି ପ୍ରଫୁଲ୍ଲ । ବାଣିଜ୍ୟ ଓ ଆଇନରେ ସ୍ନାତକ ପରେ ଜଣେ ଆଇନଜୀବୀ ଭାବେ ପେଶା ଆରମ୍ଭ କରିଥିଲେ । ନିଶା କିନ୍ତୁ ତାଙ୍କୁ ଟାଣି ନେଇଥିଲା ଗରିବ ଖଟିଖିଆ ଓ ଶ୍ରମିକ ମାନଙ୍କ ସମସ୍ୟା ଆଡକୁ । ଫଳରେ ଜଣେ ସମାଜସେବୀ ଭାବେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ସମ୍ପାଦକ ଭାବେ ପରେ ଓଡିଶା ବିଡ଼ି ଶ୍ରମିକ ମହାସଂଘର କାର୍ଯ୍ୟକାରୀ ସଭାପତି ଭାବେ ନିଃସ୍ବାର୍ଥପର ସମାଜସେବୀ ଭାବେ ରାଜ୍ୟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।
ଓଡିଶା ନିର୍ମାଣ ଶ୍ରମିକ ମହାସଂଘ ଓ ଓଡିଶା କେନ୍ଦୁପତ୍ର କଲ୍ୟାଣ ବୋର୍ଡର ନେତୃତ୍ବ ନେଇ ନିଃସ୍ବାର୍ଥପର ସେବା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଫଳରେ ପ୍ରଫୁଲ୍ଲ ମଲ୍ଲିକ ରାଜନୀତିରେ ପ୍ରଥମ ସୋପାନ ତ୍ରୟୋଦଶ ଓଡିଶା ବିଧାନସଭା ନିର୍ବାଚନ ୨୦୦୪ ମସିହାରେ ବିଜେଡିରୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ବିଧାନସଭା ମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ଓ ବିଜେଡି ଦଳରେ ଜଣେ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ସମ୍ପନ୍ନ ବିଧାୟକ ଭାବେ କ୍ରମାଗତ ବିଜୁ ଜନତା ଦଳ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ।