ଢେଙ୍କାନାଳ: କଥାରେ ଅଛି ଚାକିରି କରିବ ପୋଲିସ, ମାଛ ଖାଇବ ଇଲିସି । ଆଉ ମାଛ ଖାଇବାର ମଜା ହିଁ କିପରି ପୋଲିସକୁ ନାକେଦମ କରିଛି ତାହା ଢେଙ୍କାନାଳରେ ଦେଖିବାକୁ ମିଳିଛି । କଥା ହେଲା କୋରୋନାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ପରି ଢେଙ୍କାନାଳରେ ମଧ୍ୟ ସନ୍ଧ୍ୟା ୬ଟା ପରଠାରୁ ସକାଳ 5ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିଛି ।
ମାଛ ପାଇଁ ନାକେଦମ ପୋଲିସ - police tension for fish market in dhenkanal
ଢେଙ୍କାନାଳରେ ମାଛ ପାଇଁ ପୋଲିସକୁ ହଇରାଣ ହେବାକୁ ପଡିଛି । କୋରୋନା କଟକଣାକୁ ଭୁଲି ମାଛ କିଣିବାକୁ ବ୍ୟସ୍ତ ହୋଇପଡିଥିଲେ ସମସ୍ତେ । ଭିଡ ଏଡାଇବାକୁ ପହଞ୍ଚି ପୋଲିସକୁ ନାକେଦମ ହେବାକୁ ପଡିଥିଲା ।
ଏପରିସ୍ଥଳେ ଢେଙ୍କାନାକ ସହରରେ ଭାଗିରଥି ସାଗର ବା ନୂଆ ପୋଖରୀର ମାଛ ମରା ଚାଲିଥିଲା । ଆଉ ତାଜା ମାଛ ଟିକିଏ ପାଟିରେ ବାଜିବ ବୋଲି ପୋଖରୀ ଚାରିପାଖରେ ଖଚାଖଚ ଭିଡ଼ କହିଲେ ନସରେ । ଏପରିସ୍ଥଳେ ସନ୍ଧ୍ୟା ଯେତିକି ପାଖେଇ ଆସିଲା ଜାଲୁଆଙ୍କ ଜାଲରେ ବଡ ବଡ ମାଛ ମାନଙ୍କ ଡିଆଁ ମରା ଦେଖି ମାଛ ନେବାପାଇଁ ଲୋକଙ୍କ ଭିଡ ସେତିକି ବଢି ଚାଲିଲା । ଆଉ ମାଛ ନିଶାରେ କୋରୋନା କଟକଣା କଥା ପଚାରେ କିଏ । ପରିସ୍ଥିତି ଅସମ୍ଭାଳ ହେଲା । ଖବରପାଇ ଟାଉନ ପୋଲିସ ବାଡ଼ି ଠେଙ୍ଗା ଧରି ପହଞ୍ଚି ଗଲେ । ତାପରେ ଆରମ୍ଭ ହୋଇଯାଇଥିଲା ଚୋର ପୋଲିସ ଖେଳ । ପୋଖରୀ ଚାରିପାଖରେ ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସକୁ ନାକେଦମ ହେବାକୁ ପଡିଲା । ତଥାପି ଲୋକଙ୍କ ମାଛ ନିଶା ଛାଡି ନଥିଲା । ଫଳରେ କୋରୋନାକୁ ନେଇ କଟକଣା ସମୟରେ ଏପରି ଦୃଶ୍ୟ ଢେଙ୍କାନାଳ ସହରରେ ବେଶ ଆଲୋଡନ ସୃଷ୍ଟି କରିଥିଲା ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ