ଢେଙ୍କାନାଳ: ଆତ୍ମହତ୍ୟା ଉଦ୍ୟମ କଲେ ପୋଲିସ କନେଷ୍ଟବଳ । ଜଣେ ପୁରୁଷ କନେଷ୍ଟବଳ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଅଞ୍ଚଳରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ଗୁରୁତର କନେଷ୍ଟବଳ ଜଣଙ୍କ ହେଉଛନ୍ତି କଙ୍କଡାହାଡ଼ ଥାନାରେ କାର୍ଯ୍ୟରତ ନିଶାମଣୀ । ପ୍ରାଥମିକ ଚିକିତ୍ସା ପରେ ସେ ବିଷ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଗତକାଲି କନେଷ୍ଟବଳ ନିଶାମଣୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ଗୁରୁତର ଅବସ୍ଥାରେ କଙ୍କଡାହାଡ଼ ଥାନା ବିଲ୍ଡିଂ ଛାତରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ପରମୂହୁର୍ତ୍ତରେ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଥିଲା । ସେଠାରେ ବର୍ତ୍ତମାନ ନିଶାମଣୀଙ୍କ ଚିକିତ୍ସା ଜାରି ରହିଛି।
ନିଶାମଣୀଙ୍କୁ ଘର ଢେଙ୍କାନାଳ ଜୋରନ୍ଦା ବାଇସିଂହା ଗ୍ରାମରେ । ତାଙ୍କ ପତ୍ନୀ ସଚଳା ପ୍ରଧାନ ମଧ୍ୟ କନେଷ୍ଟବଳ ଭାବେ କଙ୍କଡାହାଡ଼ ଥାନାରେ କାର୍ଯ୍ୟରତ ଅଛନ୍ତି । ଗତ ୮ଦିନ ହେଲା ନିଶାମଣୀ କଙ୍କଡାହାଡ଼ ଥାନାକୁ ବଦଳି ହୋଇ ଯୋଗ ଦେଇଥିଲେ । ତେବେ କେଉଁ କାରଣକୁ ନେଇ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ । ମାତ୍ର ଉଭୟ ପତିପତ୍ନୀଙ୍କ ମଧ୍ୟରେ ଥାନାରେ ପାଟିତୁଣ୍ଡ ହୋଇଥିବା ବେଳେ ପୂର୍ବରୁ ପାରିବାରିକ ଆଶାନ୍ତି ରହିଥିବା ସନ୍ଦେହ କରାଯାଉଛି । ଗତ କିଛିଦିନ ପୂର୍ବେ ଢେଙ୍କାନାଳ ରିଜର୍ଭରେ ଜଣେ ମହିଳା କନେଷ୍ଟବଳ ଆତ୍ମହତ୍ୟା କରିଥିବା ସୂଚନା ରହିଛି ।