ଢେଙ୍କାନାଳ :ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ମୃତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜାତୀୟ ରାଜପଥ ୫୩ ନମ୍ବରସ୍ଥିତ ମହିଳା ମହାବିଦ୍ୟାଳୟ ରାସ୍ତା ଓଭର ବ୍ରିଜ ତଳେ ଥିବା ସର୍ଭିସ ରୋଡରେ । ମୃତକ ଜଣକ ହେଲେ ଭୁବନ ଥାନା ଅନ୍ତର୍ଗତ ଓ୍ବାର୍ଡ ନମ୍ବର-୨ର ଦାମୋଦର ସାହୁ(୬୦) । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ ।
ଦାମୋଦର ନିଜ ମଟରସାଇକେଲରେ କୋହ୍ଲସାହି ପଟୁ ଓଭରବ୍ରିଜ ତଳେ ଯାଉଥିଲେ । ସେହି ସମୟରେ କାମାକ୍ଷାନଗର ପଟୁ ଦ୍ରୁତ ଗତିରେ ଆସୁଥିବା ଏକଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦାମୋଦର ଛିଟିକି ଯାଇ ବହୁ ଦୂରରେ ପଡ଼ିଥିଲେ । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚିଥିଲେ । ଖବରପାଇ ଭୁବନ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଦାମୋଦରଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଦାମୋଦରଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ ପରିବାର ଲୋକେ ଭୁବନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୩ ନମ୍ବର ଅବରୋଧ କରିଛନ୍ତି । ରାସ୍ତାରେ ଟାୟାର ଜାଳିବା ସହ ଗଛ ଓ କାଠ ପକାଇ ରାସ୍ତାରୋକ କରିଥିଲେ । ଫଳରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ଉଭୟ ପାର୍ଶ୍ୱରେ ଅନେକ ଗାଡ଼ି ଅଟକି ରହିଥିଲା । ଦାବି ପୂରଣ ନହେଲେ ଉଠିବେ ନାହିଁ ବୋଲି ଅଡି ବସିଥିଲେ ଗ୍ରାମବାସୀ। ଦାମୋଦର ବ୍ୟକ୍ତିଗତ କାମରେ ଘରୁ ବାହାରି କାମାକ୍ଷାନଗରକୁ ଯାଉଥିଲେ । ଶୀଘ୍ର ଆସି ଘରେ ପହଞ୍ଚିବେ ବୋଲି କହିଥିଲେ । ହେଲେ କିଏ ବା ଜାଣିଥିଲା ଯେ ଏଭଳି ଦୁର୍ଘଟଣା ଘଟିବ ।