ଢେଙ୍କାନାଳ: "ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତଉଦ୍ଧାର ହେଉ"।
ଜଗତର କଲ୍ୟାଣ ପାଇଁ ଓ ବିଶ୍ବ ଶାନ୍ତି ପାଇଁ କେଉଁ ଅନାଦି କାଳରୁ ଏହି ଅଖଣ୍ଡ ଧୂନି ଜଳି ଆସୁଛି। ମଣିଷ ଜନ୍ମ ଏକ ପବିତ୍ର ଓ ଦୁର୍ଲଭ ଜନ୍ମ। ଏଥିରେ ଉଚ୍ଚନୀଚ ଓ ଛୁଆ ଅଛୁଆ ଭେଦଭାବ ନାହିଁ। ମହିମା ଧର୍ମର ପ୍ରତିଷ୍ଠାତା ଅବଧୁତ ମହିମା ସ୍ବାମୀଙ୍କ ଏହି ମନ୍ତ୍ରରେ ଏବେ ପ୍ରକମ୍ପତି ହେଉଛି ଢେଙ୍କାନାଳ ଯୋରନ୍ଦାସ୍ଥିତ ମହିମା ଗାଦି। ଶୂନ୍ୟ ପୁରୁଷ ଓ ଶୂନ୍ୟଦେହୀ। ଏଠାରେ ନାଁ ଅଛି ଠାକୁର ନାଁ ଅଛି ମନ୍ଦିର। ପ୍ରତ୍ୟେକ ବର୍ଷ ସାରା ବିଶ୍ବବ୍ୟାପି ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଆକର୍ଷିତ ହୋଇ ଆସିଥାନ୍ତି ଯୋରନ୍ଦା ମେଳାକୁ।
ଜମୁଛି ଯୋରନ୍ଦା ମେଳା, ଆଲେଖ ମହିମା ଧ୍ବନିରେ କମ୍ପୁଛି ମହିମା ପୀଠ ମହିମା ପରମ୍ପରା ମୁତାବକ ସାଧୁମାନେ ଏହାକୁ ୩ ଦିନଧରି ପାଳନ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦା ୭ଦିନ ଧରି ଏହାକୁ ବେଶ ଧୁମ ଧାମ ପାଳନ କରିଥାନ୍ତି । ମାଘ ଚତୁଦର୍ଶୀକୁ ମହିମା ସ୍ବାମୀଙ୍କ ଉଦ୍ଦେଶ୍ୟରେ ପ୍ରଭୁ ପୂର୍ଣ୍ଣିମା ଓ ତା'ପର ଦିନ ମହିମା ଗୁରୁମାନଙ୍କ ପାଇଁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରିଥାନ୍ତି। ମେଳା ଅବସରରେ ଥିବା ଗାଦି ମନ୍ଦିର ସହ,ଶୂନ୍ୟ ମନ୍ଦିର , ୨୧ହାତିଆ ମନ୍ଦିର, ଧୂନୀ ମନ୍ଦିର, ଅଖଣ୍ଡ ଜ୍ୟୋତି ଓ ଅଖଣ୍ଡ ବତୀ ମନ୍ଦିରରେ ସିଦ୍ଧ ମହିମା ସାଧୁଙ୍କ ଦ୍ବାରା ସୂର୍ଯାସ୍ତ ପୂର୍ବରୁ ତିନି ଥର ରୀତିନୀତି କରିଥାନ୍ତି। ମେଳା ଅବସରରେ ମହିମା ସାଧୁମାନଙ୍କ ଦ୍ବାରା ଅଖଣ୍ଡ ଧୂନୀ ଖଞ୍ଜଣୀ ଭଜନ କୀର୍ତ୍ତନ ସାଙ୍ଗକୁ ସାଧୁ ସନ୍ଥମାନଙ୍କ ଗହଣରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ। ଏହି ବିରଳ ଦୃର୍ଶ୍ୟ ଦର୍ଶନକରି ମହିମା ଧର୍ମ ଦର୍ଶନ ପ୍ରତି ଆସ୍ଥା ଓ ବିଶ୍ବାସ ଗଭୀର ହେବା ସହ ଭକ୍ତ ଓ ଶ୍ରଦ୍ଧାଳୁ ନିଜକୁ ବେଶ ଧନ୍ୟ ମନେ କରନ୍ତି ।
ଏହି ମେଳାରେ ସାରା ବିଶ୍ବର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ସଂଖ୍ୟାରେ ମହିମା ସାଧୁ ଓ ଶ୍ରଦ୍ଧାଳୁମାନେ ଭିଡ ଜମାଇଥାନ୍ତି। ଜନ ସମାଗମକୁ ନେଇ ବିଭିନ୍ନ ବ୍ୟବସାୟୀମାନେ ପସରା ମେଲିଥାନ୍ତି। ଫାଷ୍ଟଫୁଡ ଠାରୁ ଆରମ୍ଭ କରି ବିଭିନ୍ନ କିସମର ଦୋଳି ଓ ମୀନାବଜାର ଆଦି ଲୋକମାନଙ୍କର ମନୋରଞ୍ଜନ କରିଥାଏ। ତେବେ ସଂନ୍ଧ୍ୟାରେ ମୁଖ୍ୟ ଗାଦି ମନ୍ଦିର ଚାରି ଦ୍ବାରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଝାଡବତୀ ପ୍ରଜ୍ବଳିତ ହୁଏ। ଝାଡବତୀରେ ମହିମା ସାଧୁମାନେ ମହଣ ମହଣ ଘୃତାହୂତୀ କରିଥାନ୍ତି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମ୍ମିଳିତ ଅଲେଖ ମହିମା ଧ୍ବନୀରେ ସାରା ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ପ୍ରକମ୍ପିତ ହୋଇ ଉଠେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ