ଢେଙ୍କାନାଳ:ଜିଲ୍ଲାରେ ମାତିଲେ ୫ ଟିକିଆ ହାତୀ ପଲ । ଦୁଇ ଦିନ ହେଲା ଢେଙ୍କାନାଳର ଭୁବନ ଅଞ୍ଚଳରେ ୫ ଟିକିଆ ହାତୀ ପଲ ଉପଦ୍ରବ କରିବା ଫଳରେ ଅନେକ କ୍ଷୟକ୍ଷତି ହୋଇଛି । ଆଖୁ ବିଲରେ ଦୁଇ ଦିନ ହେଲା ହାତୀ ପଲ ଉପଦ୍ରବ କରିବାରୁ ଏବେ ଚିନ୍ତାରେ ଆଖୁ ଚାଷୀ । ହାତୀ ଘଉଡାଇବାରେ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ ବନ ବିଭାଗ ।
ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଠାରୁ ଭୁବନ ଅଞ୍ଚଳର ଭୁଷଳ ଗ୍ରାମ ନିକଟ ନଦୀ ପଠା ଆଖୁ କିଆରୀରେ ପାଞ୍ଚ ଟିକିଆ ହାତୀ ପଲ ପ୍ରବେଶ କରିଥିଲେ । ସେଠାରେ ଉପଦ୍ରବ କରୁଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ଭୁବନ ବନବିଭାଗ ହାତୀମାନଙ୍କର ଗତୀବିଧିକୁ ନଜରରେ ରଖି ଗତକାଲି ରାତିରୁ ହାତୀ ଘଉଡାଇବା ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ରାତି ତମାମ ହାତୀ ଘଉଡାଇବା ପାଇଁ ଭୁବନ ବନବିଭାଗର କର୍ମୀମାନେ ଉଦ୍ୟମ କରିଥିଲେ ।
ବହୁ ଉଦ୍ୟମ ପରେ ଭୁବନ ବନାଞ୍ଚଳ ଅନ୍ତର୍ଗତ କିଙ୍ଗୋଳ ଗ୍ରାମ ଶିବ ମନ୍ଦିର ନିକଟ ବ୍ରାହ୍ମଣୀ ନଦୀ ପଠାରେ ହାତୀମାନେ ରହିଥିଲେ । ସକାଳ ପାହିବାରୁ ହାତୀ ପଲ ନଦୀ ପଠାରେ ଥିବା କାଜୁ ଜଙ୍ଗଲରେ ରହିଥିଲେ । ତେବେ ଆଜି(ଗୁରୁବାର) ସନ୍ଧ୍ୟାରେ ପୁଣି ହାତୀ ଘଉଡାଇବା ଉଦ୍ୟମ ଜାରି ରହିବ ବୋଲି ବନବିଭାଗ ସୂଚନା ଦେଇଥିବା ଜଣାପଡିଛି । ଏହି ୫ ଟିକିଆ ହାତୀପଲରେ ତିନୋଟି ବଡ ହାତୀ ଥିବାବେଳେ ୨ଟି ଛୁଆ ହାତୀ ରହିଥିବା ଦେଖିବାକୁ ମିଳିଛି ।