ଢେଙ୍କାନାଳ: ନାହିଁ ଆଉ ଯାତ୍ରା ପେଣ୍ଡାଲର ସେ ଠାଣି । ନା ଅଛି ମୁହଁରେ ସେହି ଅଟହାସ୍ୟ । ସବୁକିଛି ଛଡାଇ ନେଇଛି ମହାମାରୀ କୋରୋନା । ସେ ଶିବାନୀ ଗଣନାଟ୍ୟ ବାବା କ୍ୟାପିଟାଲର ଅବଧୂତ ପାଣ୍ଡବ ହେଉ ବା ରଙ୍ଗମହଲର ମିଛୁଆ ରାଧୁଆ ଗପ ସରିଲାର ରାଉଡି ରାକ୍କା ହେଉ । ସେ ତୁଳସୀ ଗଣନାଟ୍ୟ ବଦନାମ ବାଦଶାହର ବଙ୍ଗାରା ହଉ ଅଥବା ସ୍ବର୍ଣ୍ଣ ମହଲର ଅସତୀ ତୁଳସୀ ସତୀ ଚଉରାର ଶିବ କବାଡି଼ଆ । ଏକଦା ପେଣ୍ଡାଲକୁ ଥରାଇ ଦେଉଥିବା ଯାତ୍ରା ଜଗତର ସୁନାମ ଧନ୍ୟ ଖଳନାୟକ ଜ୍ଞାନରଞ୍ଜନ ସାହୁ ଆଜି ସାଜିଛନ୍ତି ରାସ୍ତା କଡର ୱେଲଡିଂ ମିସ୍ତ୍ରୀ ।
ମହାମାରୀ କୋରନାର କଡା କଟକଣା ଜ୍ଞାନରଞ୍ଜନଙ୍କଠାରୁ ଛଡାଇ ନେଇଛି ଯାତ୍ରା ପେଣ୍ଡାଲ । ଆଉ ହାତରେ ଧରାଇ ଦେଇଛି ୱେଲଡିଂ ମେସିନ । ଏକଦା ରାତିର ଚିକ ମିକ ଆଲୁଅରେ ଝଲ ମଲ ହୋଇଉଠୁଥିବା ଯାତ୍ରା ପେଣ୍ଡାଲରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜୁଥିଲେ ଜ୍ଞାନରଞ୍ଜନ । ହେଲେ ଆଜି ତାଙ୍କୁ ସମସ୍ତଙ୍କ ପାଇଁ ଅଲୋଡା କରିଦେଇଛି ମହାମାରୀ କୋରନାର କଟକଣା । ଆଉ ଯାତ୍ରା ଜଗତର ଏହି ବହୁ ଚର୍ଚ୍ଚିତ ଖଳନାୟକ ପାଲଟି ଯାଇଛନ୍ତି ରାସ୍ତା କଡର ଜଣେ ସାଧାରଣ ୱେଲଡିଂ ମିସ୍ତ୍ରୀ । ଏସିଆ ମହାଦେଶର ସର୍ବବୃହତ ଗ୍ରାମ ଢେଙ୍କାନାଲର ଭୁବନ ତଥା ବିଶ୍ବର ସର୍ବ କନିଷ୍ଟ ଶହୀଦ ବାଜି ରାଉତଙ୍କ ଗାଁ ମାଟିର ପୁଅ ଜ୍ଞାନ ରଞ୍ଜନ ସାହୁ । ଜଣେ ଆଇଟିଆଇ ଛାତ୍ର ହୋଇଥିଲେ ମଧ୍ୟ ପିଲାଟି ଦିନରୁ ତାଙ୍କ ନିଶା ଥିଲା ଯାତ୍ରାର ଡାଇଲଗ ବୋଲିବା । ଆଉ ନିଜ ସାଙ୍ଗ ସାଥୀଙ୍କ ଆଗରେ ଏହି ଡାଇଲଗର ଅଭ୍ୟାସ କରୁକରୁ ସେ ବନି ଯାଇଥିଲେ ଯାତ୍ରା ଜଗତର ଜଣେ ସୁନାମଧନ୍ୟ ଖଳନାୟକ । କିନ୍ତୁ ମହାମାରୀ କୋରନା ଯାତ୍ରା ଜଗତର କଳାକାରମାନଙ୍କ ପାଇଁ ସାଜିଛି ଚିନ୍ତାର କାରଣ । ମାସ ମାସ ଧରି ଯାନିଯାତ୍ରା, ସିନେମା, ଅପେରା ଆଦି ସବୁ କିଛି ବନ୍ଦ ରହିଛି । ବସି ବସି ଏବେ ପକେଟ ସମ୍ପୂର୍ଣ୍ଣ ଖାଲି ହୋଇଗଲାଣି । ଏପରିସ୍ଥଳେ ପେଟ ପାଟଣା ପାଇଁ ଭୁବନ ନୂଆହାଟ ରାସ୍ତାକଡରେ ଗାଡି ମୋଟର ୱେଲଡିଂ କରିବାକୁ ବାଧ୍ୟ ହୋଇଛନ୍ତି ଜ୍ଞାନରଞ୍ଜନ ।