ଢେଙ୍କାନାଳ: ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଭୁବନ ଅନନ୍ତପୁର ଗମରଗୋଳ ଗାଁ ଯଶୋବନ୍ତ ପ୍ରଧାନ । ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଭୁବନ ଥାନାରେ 7 ଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ । ପୋଲିସ ମାମଲା ରୁଜୁ କରିଥିବାବେଳେ ସେପଟେ, ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।
ଅଭିଯୋଗ ଅନୁସାରେ, ଗତ ୨୨ତାରିଖ ରାତି ପ୍ରାୟ ୮ଟା ସମୟରେ କେତେକ ଯୁବକ ଯଶୋବନ୍ତଙ୍କୁ ଘରୁ ଡାକିନେଇଥିଲେ । ପରେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମୁଣ୍ଡାକୁଳ ଗାଁରେ ତାଙ୍କୁ ଏହି ଯୁବକମାନେ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଯଶୋବନ୍ତଙ୍କୁ ତାଙ୍କ ଘର ସାମ୍ନାରେ ଫୋପାଡି ଦେବା ସହ କାହାକୁ ନ କହିବାକୁ ତାଙ୍କ ପତ୍ନୀଙ୍କୁ ଧମକ ଦେଇ ପଳାଇଥିଲେ । ତା ପରଦିନ ଯଶୋବନ୍ତଙ୍କୁ ଚିକିତ୍ସା ପାଇଁ ତାଳଚେର ନେବା ବାଟରେ ସଙ୍କଟାପନ୍ନ ହେବାରୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।