ଢେଙ୍କାନାଳ:ସହରର ଜବାହାର ଚୌକ ନିକଟରେ ଘର ମରାମତି ବେଳେ ଘଟିଛି ଅଘଟଣ । ଶ୍ରମିକ ମାନେ କାମ କରୁଥିବାବେଳେ ଭୁଶୁଡିପଡିଛି କାନ୍ଥ । ଫଳରେ କାନ୍ଥ ତଳେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେପଟେ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ଗୁରୁତର ଶ୍ରମିକ ଦୁଇଜଣ ହେଲେ ସଦର ଥାନା ବିରଡ଼ିଆ ଗ୍ରାମର ଅଭିନ ନାୟକ ଓ ସୋଗର ପଶି ଗ୍ରାମର କରୁଣାକର ବେହେରା ବୋଲି ଜଣାପଡିଛି । ତେବେ ଆହତ ଶ୍ରମିକ ମାନେ ବିପଦମୁକ୍ତ ଥିବା ଜଣାପଡିଛି । ଢେଙ୍କାନାଳ ସହରର ଜବାହାର ଚୌକର ଜଗୁ ସ୍ବାଇଁଙ୍କ ଘର ମରାମତି ବେଳେ ଘଟିଛି ଏହି ଅଘଟଣ । ୬ ଜଣ ଶ୍ରମିକ ଏହି କାମ କରୁଥିଲେ । ତେବେ କାମ କରୁଥିବା ବେଳେ ପାର୍ଶ୍ଵରେ ଥିବା ଅସୁରକ୍ଷିତ କାନ୍ଥ ଭୁଶୁଡି ପଡି ମାଡିବସିଥିଲା ।