ଢେଙ୍କାନାଳ: ସଦର ତହସିଲ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ନକଲି କାଗଜପତ୍ର ପ୍ରସ୍ତୁତ କରି ଜମି ବିକ୍ରି କରିଦେଇଥିବା ଘଟଣା। ଏନେଇ ତାଆଉଁ ଥାନାରେ ଅଭିଯୋଗ କଲେ ଢେଙ୍କାନାଳ ସବରେଜିଷ୍ଟ୍ରର ଗୁରୁଚରଣ ମଲ୍ଲ। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ନକଲି କାଗଜପତ୍ର ପ୍ରସ୍ତୁତ କରି ଏହି ଜମି ବିକ୍ରି କରିଥିବା ରାକେଟରେ ସମ୍ପୃକ୍ତ ଥିବା ଜଣେ ଦଲିଲ ଲେଖକକୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଶାନ୍ତନୁ ସାହୁ । ଢେଙ୍କାନାଳ ସହରର ଭାଗିରଥି ବିହାର ଘରୁ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ତାଠାରୁ ଅନେକ ନକଲି କାଗଜ ପତ୍ର ଓ ସାମଗ୍ରୀ ଜବତ କରିଛି ପୋଲିସ । ସେପଟେ ଏହି ମାମଲାର ନକଲି ଜମି ମାଲିକ ସାଜିଥିବା ଯୁବକ ଓ ଦଲାଲ ଫେରାର ହୋଇଯାଛନ୍ତି । ଏ ସମ୍ପର୍କରେ ଟାଉନ ପୋଲିସ ତନା ଘନା ଆରମ୍ଭ କରିଛି।
ସୂଚନା ଥାଉକି, ତାଳଚେର କଲମଛୁଇଁ ଗ୍ରାମର ପ୍ରତାପ ଚନ୍ଦ୍ର ମହାପାତ୍ର ନାମକ ଜଣେ ଅବସର ପ୍ରାପ୍ତ ନାଲକୋ କର୍ମଚାରୀ ଏହି ଦଲାଲ ଜମି ହଡପ ରାକେଟର ଶିକାର ହୋଇଥିଲେ । ତାଙ୍କର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ମୌଜାର ପ୍ଲଟ ନଂ. ୪ ଖାତା ନଂ.୧୫୦୦ର ୯୫ଡିସମିଲ ଜାଗାକୁ ହଡପ କରିନେଇଛନ୍ତି ଦଲାଲ। ଏହି ଜମିର ଅସଲ ମାଲିକ ପ୍ରତାପ ଚନ୍ଦ୍ର ଅନଲାଇନରେ ଯାଞ୍ଚ କରିବାରୁ ତାଙ୍କ ଜାଗା ପ୍ରତାପ କୁମାର ମହାପାତ୍ର ନାମରେ ଅନ୍ୟ ଜଣଙ୍କୁ ବିକ୍ରି ହୋଇଥିବା ସେ ଜାଣିବାକୁ ପାଇଥିଲେ । ଫଳରେ ସେ ଢେଙ୍କାନାଳ ସବ ରେଜିଷ୍ଟର କାର୍ଯ୍ୟାଳୟ ଓ ସଦର ଥାନାରେ ଲିଖିତ ଅଭିଯୋଗ କରି ତାଙ୍କ ଜମି ଫେରସ୍ତ ସାଙ୍ଗକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।