ଢେଙ୍କାନାଳ:ବୃଦ୍ଧଙ୍କୁ କଚାଡି ମାରିଦେଲା ଦନ୍ତା । ଶୌଚ କରି ଯାଇଥିବା ସମୟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୁଳେହୀ ପଞ୍ଚାୟତର ଯତନ ନଗର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତକ ଜଣକ ଯତନ ନଗର ଭୋଇ ସାହିର ଟଙ୍କଧର ଭୋଇ ବୋଲି ଜଣାପଡ଼ିଛି ।
ମୃତକ ଜଣଙ୍କ ଆଜି ଭୋରରେ ନିଜ ଘର ନିଟକସ୍ଥ କୂଅ ପାଖକୁ ଶୌଚ ପାଇଁ ଯାଇଥିଲା ବେଳେ ଗାଁକୁ ପଳାଇ ଆସିଥିବା ଏକ ଦନ୍ତାହାତୀ ହାବୁଡ଼ରେ ପଡ଼ିଥିଲେ । ଏହି ସମୟରେ ହାତୀ ତାଙ୍କୁ ଟେକି କଚାଡି ଦେଇଥିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ହାତୀଟି ପାଖ ଜଙ୍ଗଲରେ ଥିବା ସୂଚନା ରହିଛି । ଫଳରେ ହାତୀ ଭୟରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ତେବେ ଘଟଣାସ୍ଥଳରେ ବହୁ ବିଳମ୍ବରେ ବନ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ଏହାପରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ନିକଟରେ ଢେଙ୍କାନାଳ ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ମହୁଲପାଳ ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା । ଭୁବନ ରେଞ୍ଜ ଜିରାଳ ବିଟ ଅଞ୍ଚଳରୁ ଦୁଇଟି ଦନ୍ତା ହାତୀ ଖାଦ୍ୟ ଅନ୍ୱେଷଣରେ ଆସିଥିବା ବେଳେ ଜଙ୍ଗଲକୁ ଆଉ ଫେରି ପାରିନଥିଲେ । କାମାକ୍ଷାନଗର ସହର ନିକଟରେ ହାତୀ ଥିବା ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀ ଦେଖିବାକୁ ଲୋକଙ୍କ ଭିଡ଼ କାରଣରୁ ସେମାନେ ରାସ୍ତାରେ ଠିଆ ହୋଇ ରହିଥିଲେ ।