ଢେଙ୍କାନାଳ:ହିନ୍ଦୋଳରେ ଥମୁନି ହାତୀ ଆତଙ୍କ । ପୁଣି ଜଣଙ୍କୁ କଚାଡି ମାରିଲା ଦନ୍ତା । ବୃଦ୍ଧ ଜଣକ ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ହେଲେ ବାଲି କିଆରୀ ଗ୍ରାମ ମାଳତୀ ମୁଣ୍ଡିଆ ସାହିର ଲଷ୍ମୀଧର ପାତ୍ର । ତେବେ ଅଞ୍ଚଳରେ ହାତୀ ଆକ୍ରମଣରେ ଅନେକ ଜୀବନ ଯାଉଥିବା ବେଳେ ଉତ୍ତେଜିତ ହୋଇଛନ୍ତି ଗ୍ରାମବାସୀ ।
ସୂଚନାଅନୁସାରେ, ବାଲି କିଆରୀ ଗ୍ରାମ ମାଳତୀ ମୁଣ୍ଡିଆ ସାହିର ଲକ୍ଷ୍ମୀଧର ପାତ୍ର ଆଜି ସକାଳେ ତାଙ୍କ ଘର ବାଡ଼ି ପଛ ବିଲକୁ ଶୌଚ ହେବାକୁ ଯାଇଥିଲେ । ସେହି ସମୟରେ ସେ ହାତୀ ହାବୁଡରେ ପଡିଯାଇଥିଲେ । ଫଳରେ ହାତୀ ତାଙ୍କୁ ଦଳିନେଇ ଜୀବନ ନେଇଯାଇଥିଲା । ତେବେ ଏହି ଅଞ୍ଚଳରେ ବାରମ୍ବାର ହାତୀ ଆକ୍ରମଣ ଜନିତ ମୃତ୍ୟୁ ଘଟୁଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମହଲରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା ।
ଖବର ପାଇ ଘଟଣାସ୍ଥଳକୁ ରାସୋଳ ଥାନା ପୋଲିସ ଓ ହିନ୍ଦୋଳ ବନକର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ତେବେ କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ବନବିଭାଗ ତଦନ୍ତ କରୁଛି । ସେପଟେ ଆକ୍ରମଣ ପରେ ହାତୀଟି ପଳାଇଯାଇଥିବା ନେଇ ସ୍ଥାନୀୟବାସୀ କହିଛନ୍ତି ।