ଢେଙ୍କାନାଳ:ହାତୀ ଆକ୍ରମଣରେ ୭୦ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ତଟକା କାଜୁ ଜଙ୍ଗଲରେ ଏପରି କାଣ୍ଡ ଘଟାଇଛି ବଣୁଆ ହାତୀ । ତେବେ ମୃତ ବୃଦ୍ଧ ଜଣଙ୍କ ସଦର ଥାନା ଦୀନବନ୍ଧୁ ପୁର ତଟକା ଗ୍ରାମର ବିକଳ ସାହୁ ବୋଲି ଜଣାପଡିଛି ।
ସୂଚନା ମୁତାବକ, ବିକଳ ତାଙ୍କ ଗ୍ରାମ ପାଖ ତଟକା କାଜୁ ଜଙ୍ଗଲକୁ ବଗିବାକୁ ଯାଇ ଆଉ ଫେରିନଥିଲେ । ଫଳରେ ତାଙ୍କ ପରିବାର ଓ ଗ୍ରାମବାସୀ ଗତ ସୋମବାର ରାତିରେ ତାଙ୍କୁ ଖୋଜାଖୋଜି କରିଥିଲେ । ପରେ ବିଳମ୍ବିତ ରାତିରେ କାଜୁ ଜଙ୍ଗଲରୁ ତାଙ୍କ କ୍ଷତ ବିକ୍ଷତ ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି । ଏନେଇ ଖବର ପାଇ ଗତକାଲି ସଦର ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ତେବେ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ି ଚାଲିଛି l ବାରମ୍ବାର ହାତୀ ଆକ୍ରମଣର ଶିକାର ହୋଇ ଲୋକଙ୍କ ଜୀବନ ଯାଉଛି l ହାତୀପଲ କାଜୁ ଖାଇବା ପାଇଁ ଗ୍ରାମପାଖ କାଜୁ ଜଙ୍ଗଲକୁ ଆସୁଥିବା ବେଳେ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବା ଲୋକ ହାତୀ ସମ୍ମୁଖରେ ପଡି ଆକ୍ରମଣର ଶିକାର ହେଉଛନ୍ତି । ଯାହା ଫଳରେ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି l ସେହିପରି ଗତ 19ତାରିଖ ଦିନ ଆଉ ଜଣକୁ ହାତୀ ପାଦରେ ଦଳି ମାରିଦେଇଥିଲା । ଢେଙ୍କାନାଳ ବନଖଖଣ୍ଡର କପିଳାଶ ବନାଞ୍ଚଳ ଅନ୍ତର୍ଗତ ଚଦ୍ରଶେଖର ପୁର ଗ୍ରାମରେ କାଜୁ ତୋଟାକୁ ଯାଇଥିବା ବେଳେ ପାଦରେ ଦଳି ମାରିଦେଇଥିଲା ହାତୀ । ମାରିବା ପରେ ମୃତଦେହ ପାଖରେ ହାତୀ ପଲ ଜଗି ରହିଥିବାରୁ ଉଦ୍ଧାର ହୋଇପାରି ନଥିଲା ମୃତଦେହ ।