ଓଡିଶା

odisha

By

Published : Jul 17, 2021, 6:07 PM IST

ETV Bharat / state

ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ଓଡ଼ିଆ ପୁଅ: ଫେରାଇ ଆଣିବାକୁ ପରିବାରବର୍ଗଙ୍କ ଆକୁଳ ନିବେଦନ

ଉଦ୍ୟାନ କୃଷି ପ୍ରଶିକ୍ଷଣ ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିବା ଓଡିଆ ଯୁବକ ନ ଫେରିପାରି ଫସିରହିଛନ୍ତି । ଅନ୍ତର୍ଜାତିକ ବିମାନ ସେବା ବାତିଲ ଏବଂ ଏକ ହତ୍ୟା ମାମଲାରେ ସବ୍ୟସାଚୀ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଭାବେ ତଦନ୍ତକାରୀ ଦକ୍ଷିଣ ଆଫ୍ରିକା ପୁଲିସ ପାଖରେ ଫସି ରହିଛନ୍ତି । ଅଧିକ ପଢନ୍ତୁ...

ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ଓଡ଼ିଆ ଯୁବକ: ଫେରାଇ ଆଣିବାକୁ ସରକାରଙ୍କୁ ପରିବାରବର୍ଗଙ୍କ ଆକୁଳ ନିବେଦନ
ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ଓଡ଼ିଆ ଯୁବକ: ଫେରାଇ ଆଣିବାକୁ ସରକାରଙ୍କୁ ପରିବାରବର୍ଗଙ୍କ ଆକୁଳ ନିବେଦନ

ଢେଙ୍କାନାଳ: ଉଦ୍ୟାନ କୃଷି ପ୍ରଶିକ୍ଷଣ ପାଇଁ ସୁଦୁର ଦକ୍ଷିଣ ଆଫ୍ରିକା ଯାଇ ଫସି ରହିଛନ୍ତି ଜଣେ ଓଡ଼ିଆ ଯୁବକ । ଏକମାତ୍ର ପୁଅର ଫେରିବା ବାଟକୁ ଚାହିଁ ଚାହିଁ ଶେଷରେ ଅକାଳରେ ପ୍ରାଣ ହାରିଲେ ମା’ । ତଥାପି ଗାଁକୁ ଫେରିପାରୁନି ପୁଅ । ଏପରିସ୍ଥଳେ ସରକାରଙ୍କ ସହଯୋଗକୁ ଚାହିଁ ବସିଛନ୍ତି ଢେଙ୍କାନାଳ ଜିଲ୍ଲାର ବେଲଟିକିରି ଗ୍ରାମବାସୀ । ସୂଚନାନୁଯାୟୀ ସାଧାରଣ ପ୍ରଶାସନିକ ବିଭାଗରେ ଆକାଉଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଢେଙ୍କାନାଳ ଜିଲ୍ଲା ଏହି ବେଲଟିକିରି ଗ୍ରାମର ରଞ୍ଜନ ନନ୍ଦ ଓ ପତ୍ନୀ ଭକ୍ତିମଞ୍ଜରୀ ନନ୍ଦଙ୍କର ଏକମାତ୍ର ପୁଅ ୨୮ବର୍ଷର ସବ୍ୟସାଚୀ ନନ୍ଦ । ସବ୍ୟସାଚୀ ଆଇଟିଆର(ITER)ରୁ ବିଟେକ ସାରି ଗତ ଡିସେମ୍ବର ୨୦୧୯ରେ ଉଦ୍ୟାନ କୃଷି ପ୍ରଶିକ୍ଷଣ ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ । ପ୍ରଶିକ୍ଷଣ ସାରି ଗତ ମାର୍ଚ୍ଚ ୨୦୨୦ରେ ସେ ଘରକୁ ଫେରିବା କଥା ।

ଦକ୍ଷିଣ ଆଫ୍ରିକାରେ ଫସିଛନ୍ତି ଓଡ଼ିଆ ଯୁବକ: ଫେରାଇ ଆଣିବାକୁ ସରକାରଙ୍କୁ ପରିବାରବର୍ଗଙ୍କ ଆକୁଳ ନିବେଦନ

କିନ୍ତୁ କୋଭିଡ ମହାମାରୀ ଯୋଗୁଁ ଅନ୍ତର୍ଜାତିକ ବିମାନ ସେବା ବାତିଲ ତାଙ୍କ ଫେରିବା ବାଟରେ ବିଡମ୍ବନା ସାଜିଲା । ଫଳରେ ଘରକୁ ଫେରି ନପାରି ପୁଣି ଦକ୍ଷିଣ ଆଫ୍ରିକାରେ ଏକ ଭଡା ଫାର୍ମ ହାଉସରେ ସବ୍ୟସାଚୀଙ୍କୁ ରହିବାକୁ ପଡିଲା । ତେବେ ଭାଗ୍ୟର ବିଡମ୍ବନା ଏପରି ଯେ ଗତ ଫେବ୍ରୁଆରୀ ମାସରେ ଉକ୍ତ ଫାର୍ମ ହାଉସ ମାଲିକଙ୍କ ପୁଅକୁ ଅଜଣା ଆତତାୟୀ ମାନେ ସବ୍ୟସାଚୀଙ୍କ ଉପସ୍ଥିତିରେ ହତ୍ୟା କଲେ । ଫଳରେ ଏହି ହତ୍ୟା ମାମଲାରେ ସବ୍ୟସାଚୀ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ଭାବେ ତଦନ୍ତକାରୀ ଦକ୍ଷିଣ ଆଫ୍ରିକା ପୁଲିସ ପାଖରେ ଫସି ରହିଛନ୍ତି । ଏପରିକି ତାଙ୍କ ଭିସା ଓ ପାସପୋର୍ଟ ଆଦିକୁ ଜବତ କରିନେଇଛି ସେଠାକାର ପୁଲିସ । ଫଳରେ ମାମଲାର ତଦନ୍ତ ନସରିବା ଯାଏଁ ପୁଅର ଫେରିବା ବାଟ ବନ୍ଦ ହୋଇଯାଇଛି ।

ଏପରିସ୍ଥଳେ ଏକମାତ୍ର ପୁଅକୁ ଝୁରି ଝୁରି ଗତ ୭ ତାରିଖରେ ମା ଭକ୍ତିମଞ୍ଜରୀଙ୍କର ଅକାଳ ବିୟୋଗ ଘଟିଛି । ଯାହାକି ତାଙ୍କ ପରିବାର ଓ ବନ୍ଧୁବାନ୍ଧବଙ୍କ ଠାରୁ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବେଶ ମର୍ମାହତ କରିଛି । ମରିଗଲେ ପାଟିରେ ପୁଅ ପାଣି ଟୋପାଏ ଦେବ । ଆଉ ମଶାଣିରେ ମୁହଁରେ ନିଆଁ ଟିକିଏ ଦେବ । ଏପରି ଅନେକ ଆଶା ବାନ୍ଧିଥାନ୍ତି ବାପା ମା । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଏପଟେ ଗାଁ ପୋଖରି ତୁଠରେ ଚାଲିଛି ଶୁଦ୍ଧିକ୍ରିୟା ଆଉ ସାମିଲ ହୋଇଛନ୍ତି ଭାଇ, ବନ୍ଧୁବାନ୍ଧବ ମାନେ । ମାତ୍ର ମାର ଏହି ଅନ୍ତ୍ୟେଷ୍ଟି କ୍ରିୟାରେ ସାମିଲ ହୋଇ ପାରିଲାନି ଏକ ମାତ୍ର ପୁଅ । ଫଳରେ ଢେଙ୍କାନାଳ ଜିଲ୍ଲା ବେଲଟିକିରି ଗ୍ରାମର ଏହି ନନ୍ଦ ପରିବାରରେ ଏପରି ଦୁଃଖଦ ସ୍ଥିତିକୁ ନେଇ ବନ୍ଧୁ ବାନ୍ଧବଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ପଯ୍ୟନ୍ତ ସମସ୍ତେ ମର୍ମାହତ ।

ତେବେ ପୁଅ ଫେରିବା ପାଇଁ ଦକ୍ଷିଣ ଆଫ୍ରିକାର ଭାରତୀୟ ଦୂତାବାସକୁ ଯୋଗାଯୋଗ କରି ମଧ୍ୟ ବିଫଳ ହେବା ପରେ ହତାଶ ହୋଇପଡିଛନ୍ତି ପରିବାର ଓ ଗ୍ରାମବାସୀ । ଏପରିସ୍ଥଳେ ପୁଅକୁ ଫେରାଇଆଣିବା ପାଇଁ ସରକାରଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ସବ୍ୟସାଚୀଙ୍କ ବାପା । ସେପଟେ ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି ଏହି ଓଡ଼ିଆ ଯୁବକ । ଆଉ ଏପଟେ ପୁଅକୁ ଝୁରି ଝୁରି ମା'ଙ୍କର ଅକାଳ ବିୟୋଗ । ଏପରିସ୍ଥଳେ ଦୁଃଖର ସାଗରରେ ଭାସୁଥିବା ଏହି ପରିବାର ପୁଅ ଫେରିବା ଦିଗରେ ସରକାରଙ୍କ ସହଯୋଗକୁ ଅନାଇଁ ବସିଛନ୍ତି ଗ୍ରାମବାସୀ ।


ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details