ଓଡିଶା

odisha

କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା: ଅକ୍ଷୟଙ୍କ ଜଘନ୍ୟକାଣ୍ଡକୁ ବିଶ୍ବାସ କରିପାରୁନାହାନ୍ତି ଗ୍ରାମବାସୀ

By

Published : Aug 7, 2022, 8:21 PM IST

କୋଲକାତାର ପାର୍କଷ୍ଟ୍ରିଟରେ ଗୁଳିକାଣ୍ଡ ଘଟଣା । ଗୁଳିକାଣ୍ଡ ଭିଆଇଥିବା CISFଙ୍କ ଘର ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ମାଛିଆ ଗ୍ରାମରେ ହୋଇଥିବାବେଳେ ଅକ୍ଷୟଙ୍କ ଏପରି କାଣ୍ଡକୁ ବିଶ୍ବାସ କରିପାରୁ ନାହାନ୍ତି ଗ୍ରାମବାସୀ । ଜାଣନ୍ତୁ ଅକ୍ଷୟଙ୍କୁ ନେଇ କଣ କହୁଛନ୍ତି ଗ୍ରାମବାସୀ

କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା
କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା

ଢେଙ୍କାନାଳ: କୋଲକାତାର ପାର୍କ ଷ୍ଟ୍ରିଟ ନିକଟରେ ଅତର୍କିତ ଗୁଳି ଚାଳନାରେ ଜଣେ ଓଡିଆ CISF ଯବାନଙ୍କ ମୃତ୍ୟୁ ହୋଇଥିଲା । ତେବେ ଅଭାବନୀୟ କାଣ୍ଡ ଭିଆଇଥିବା ଓଡିଆ ଯବାନ ଅକ୍ଷୟ କୁମାର ମିଶ୍ରଙ୍କ ଘର ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ମାଛିଆ ଗ୍ରାମରେ । ତେବେ ଏପରି କାଣ୍ତ ଭିଆଇବାର କାରଣ ଅସ୍ପଷ୍ଟ ରହିଥିବାବେଳେ ଗ୍ରାମବାସୀ ହତବାକ୍‌ ହୋଇପଡିଛନ୍ତି । କୋଲକାତା ସ୍ଥିତ ଇଣ୍ଡିଆନ ମ୍ୟୁଜିୟମ ବାରକରେ ଘଟିଥିବା ଗୁଳିକାଣ୍ଡ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା

ଅକ୍ଷୟ ମିଶ୍ର ଗତକାଲି(ଶନିବାର)ନିଜ ଉପରିସ୍ଥ ଅଫିସର ଏଏସଆଇ ରଞ୍ଜିତ ଷଢଙ୍ଗୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହି ଗୁଳିମାଡରେ ଓଡ଼ିଆ ଅଫିସର ରଞ୍ଜିତ ଷଢଙ୍ଗୀଙ୍କର ମୃତ୍ୟୁ ଘଟିଥିବା ସହ ଅନ୍ୟଜଣେ ସାଥି ମଧ୍ୟ ଆହତ ହୋଇଥିଲେ । ତେବେ ଅକ୍ଷୟ ଜଣେ ଶାନ୍ତ ପ୍ରକୃତିର ଲୋକ ହୋଇଥିବାବେଳେ କାହିଁକି ଏପରି ଜଘନ୍ୟ କାଣ୍ଡ ଘଟାଇଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଜାଣନ୍ତୁ ଅକ୍ଷୟ ମିଶ୍ରଙ୍କ ବିଷୟରେ:

ଅକ୍ଷୟଙ୍କ ଘର ମାଛିଆ ଗ୍ରାମରେ ହୋଇଥିବା ବେଳେ ସେ ପରିବାରର ବଡ଼ ପୁଅ ଅଟନ୍ତି । ଗତ ୨୦୦୧ ମସିହାରେ ସେ ସିଆଇଏସଏଫ କନେଷ୍ଟବଳ ଭାବେ ଅନୁଗୁଳ ନାଲକୋରେ ପ୍ରଥମେ ଚାକିରି ପାଇଥିଲେ । ପରେ ଗତ ୨୦୨୦ରେ ହାବିଲଦାର ଭାବେ ପ୍ରମୋସନ ପାଇ କୋଲକତା ଇଣ୍ଡିଆନ ମ୍ୟୁଜିୟମରେ କାର୍ଯ୍ୟରତ ଥିଲେ । ତେବେ ଗତ ଏପ୍ରିଲ ୨୬ରେ ତାଙ୍କ ବାପାଙ୍କ ଦେହାନ୍ତ ହେବା ପରେ ଅକ୍ଷୟ ଗ୍ରାମକୁ ଆସିଥିଲେ । ତେବେ ବାପାଙ୍କ ଦଶାହ ଦିନ ତାଙ୍କ ବଡବାପାଙ୍କ ଦେହାନ୍ତ ଯୋଗୁଁ ହିନ୍ଦୁ ରୀତିନୀତି ପରମ୍ପରା ମୁତାବକ ଆଉ ଶୁଦ୍ଧିକ୍ରିୟା ହୋଇନପାରିବାରୁ ଛୁଟି ବଢାଇବାକୁ ଉପରିସ୍ଥ ଅଧିକାରୀଙ୍କୁ ଫୋନ ଯୋଗେ ଅନୁରୋଧ କରିଥିଲେ ।

ମାତ୍ର ଅନୁମତି ନମିଳିଥିଲେ ମଧ୍ୟ ଅକ୍ଷୟଙ୍କୁ ବାପା ବଡବାପା କ୍ରିୟାକର୍ମ ପାଇଁ ବାଧ୍ୟ କରିବାରୁ ବିନା ଛୁଟିରେ ଗାଁରେ ରହିଥିଲେ । ଏଥିପାଇଁ ସେ ମାନସିକ ଭାବେ ଚାପରେ ରହିଥିବା ସହ ବାପା ଓ ବଡବାପାଙ୍କ ଶୁଦ୍ଧିକ୍ରିୟା ସାରି ୨୦ରୁ ୨୫ଦିନ ପରେ ପୁଣି କୋଲକାତା ଫେରିଥିଲେ । କିନ୍ତୁ ଅନ୍ୟମାନଙ୍କୁ ସୁରକ୍ଷା ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ଖୋଦ ସିଆଇଏସଏଫର ଜଣେ ଓଡ଼ିଆ ଯବାନ ଅକ୍ଷୟଙ୍କ ଏପରି ଲୋମହର୍ଷକ କାଣ୍ଡକୁ ବିଶ୍ବାସ କରିପାରୁନାହାନ୍ତି ଗ୍ରାମବାସୀ ।

ଅକ୍ଷୟଙ୍କୁ ନେଇ ଗ୍ରାମବାସୀ କହିଛନ୍ତି,"ଅକ୍ଷୟ ଜଣେ ଥଣ୍ଡା ମିଜସ, ମିଷ୍ଠଭାଷୀ ଓ ଭଲ ପ୍ରକୃତିର ଲୋକ ରହିଥିଲେ । ଗୋଟିଏ ପଟରେ ଏକା ସମୟରେ ବାପା ଓ ବଡ଼ ବାପାଙ୍କ ଅକାଳ ମୃତ୍ୟୁ ହୋଇଯାଇଥିଲା । ତେବେ ଅକ୍ଷୟ ଘରର ବଡ଼ ପୁଅ ହୋଇଥିବାରୁ ହିନ୍ଦୁ ରୀତିନୀତି ଆଉ ପରମ୍ପରା ପାଳନକୁ ଉପରିସ୍ଥ ଅଧିକାରୀ ଓଡ଼ିଆ ହୋଇ ମଧ୍ୟ ଛୁଟି ବଢ଼ିବା ଅନୁମତି ନଦେବାରୁ ଅକ୍ଷୟ ବେଶ ମାନସିକ ଚାପରେ ରହିଥିଲେ ।" ଆଉ ସେପଟେ କାର୍ଯ୍ୟରେ ଯୋଗ ଦେବାପରେ ବିନା ଅନୁମତିର ଛୁଟି ଯୋଗୁଁ ଉପରିସ୍ଥ ଅଧିକାରୀମାନଙ୍କ କୌଣସି ନା କୌଣସି କାର୍ଯ୍ୟକଳାପ ବା କାର୍ଯ୍ୟାନୁଷ୍ଠାନ ହିଁ ଅକ୍ଷୟଙ୍କ ଏପରି କାଣ୍ଡର କାରଣ ହୋଇପାରେ ବୋଲି ଅକ୍ଷୟଙ୍କ ଜଣେ ସାଙ୍ଗ ତଥା ଚେନ୍ନାଇରେ କାର୍ଯ୍ୟରତ ସିଆଇଏସଏଫ ଯବାନ ।

କୋଲକାତା ମ୍ୟୁଜିୟମ ବାରକରେ ଘଟିଥିବା ଏହି ଗୁଳିକାଣ୍ଡ ଅତି ବିଭତ୍ସ ହୋଇପାରେ । କିନ୍ତୁ ଏହା କିଛି ନୂଆ କଥା ନୁହଁ । ମାତ୍ର ଅକ୍ଷୟଙ୍କ ଭଳି ଜଣେ ଭଲ ପ୍ରକୃତିର ଓଡ଼ିଆ ଯବାନ ପୁଣି ଜଣେ ଓଡ଼ିଆ ଅଧିକାରୀଙ୍କୁ ହତ୍ୟା କରିଥିବା ବିଶ୍ବାସଯୋଗ୍ୟ ନୁହେଁ । ଗୁଳିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details