ଢେଙ୍କାନାଳ:ଆସନ୍ତା ୨୯ରୁ ଆରମ୍ଭ ହେବାକୁ ଯାଉଛି ଢେଙ୍କାନାଳରେ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା । ଲଷ୍ମୀପୂଜା ଅବସରରେ ୧୦ ଦିନ ଧରି ଚାଲିବ ଏହି ମେଳା । ଏନେଇ ଗତକାଲି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ପଲ୍ଲିଶ୍ରୀ ମେଳାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଚଳିତ ବର୍ଷ ପଲ୍ଲିଶ୍ରୀ ମେଳା ଅକ୍ଟୋବର 29 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 7ତାରିଖ ପର୍ଯ୍ୟନ୍ତ ମହିଷାପାଟଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି ।
ତେବେ ରାଜ୍ୟ ସରକାରଙ୍କ ସହାୟତାରେ ଓରମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମେଳା ଆୟୋଜିତ ହେଉଛି । ଏହି ପଲ୍ଲିଶ୍ରୀ ମେଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତଶିଳ୍ପ ଓ କାରୁକାର୍ଯ୍ୟ ସାଙ୍ଗକୁ ହାତ ତିଆରି ସାମଗ୍ରୀଗୁଡ଼ିକ ନେଇ ବିଭିନ୍ନ ବ୍ୟବସାୟୀ ଓ ଗୋଷ୍ଠୀ ଅଂଶ ଗ୍ରହଣ କରିବେ । ଏହା ସହିତ ପଲ୍ଲିଶ୍ରୀ ମେଳାରେ ପ୍ରତିଦିନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଛି । ପ୍ରତିଦିନ ଲୋକଙ୍କ ଭିଡ଼କୁ ଆଖି ଆଗରେ ରଖି ଟ୍ରାଫିକ ବ୍ୟବସ୍ଥା, ସ୍ବାସ୍ଥ୍ୟ, ପାନୀୟ ଜଳ ଆଦି ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ସୂଚନା ଥାଉକି, ଏହି ମେଳାରେ ସମୁଦାୟ 200ଟି ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି । ସେଥି ମଧ୍ୟରୁ ମିଶନ ଶକ୍ତି ଷ୍ଟଲ୍ 20ଟି, ହସ୍ତଶିଳ୍ପ ଷ୍ଟଲ୍ 10ଟି ରହିବ । ଏହାଛଡ଼ା ଫୁଡ୍କୋର୍ଟରେ 12ଟି ଷ୍ଟଲ ରହିବ l ପ୍ରତିଦିନ ପଲ୍ଲିଶ୍ରୀ ମେଳାରେ 20000ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା, ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି l ଏହାଛଡ଼ା ପ୍ରତିଦିନ ସଫେଇ କାର୍ଯ୍ୟ କରିବା, ଆଗନ୍ତୁକମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିବା ଓ ପ୍ରାଥମିକ ଚିକିତ୍ସାର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି l