ଢେଙ୍କାନାଳ: ଜିଲ୍ଲା ସଦର ଥାନା କନ୍ଧପାଳ ଗାଁରେ ଗୁଳିକାଣ୍ଡ । ପୋଖରୀ ଖୋଳାକୁ ନେଇ ଏ ଗୁଳିକାଣ୍ତ ଘଟିଥିବା ଜଣାପଡିଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗାଁର ଦଳେଇ ନାୟକ ।
ପୋଖରୀ ଖୋଳାକୁ ନେଇ କନ୍ଧପାଳରେ ଫୁଟିଲା ଗୁଳି: ଜଣେ ମୃତ, ଘଟଣାସ୍ଥଳରେ ଚାପା ଉତ୍ତେଜନା ଏହି ଗୁଳିକାଣ୍ତକୁ ନେଇ କନ୍ଧପାଳ ଗାଁରେ ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଜାରି ରହି ଥିବାରୁ ଚାପା ଉତ୍ତେଜନା ପ୍ରକାଶ ପାଇଛି । ଏପରିକି ମୃତ ଦଳେଇ ନାୟକଙ୍କ ପରିବାର ପକ୍ଷରୁ ଅଭିଯୁକ୍ତ ନୃପତିଙ୍କ ପରିବାର ଉପରେ ପାଲଟା ଆକ୍ରମଣ କରାଯାଇଥିବା ଖବର ମିଳିଛି । ଏହି ଆକ୍ରମଣରେ ଅଭିଯୁକ୍ତ ନୃପତିଙ୍କ ପତ୍ନୀ ଓ ଏକ ବର୍ଷର ଶିଶୁପୁତ୍ର ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, କନ୍ଧପାଳ ଗାଁର ଦଳେଇ ନାୟକ ଓ ନୃପତି ନାୟକଙ୍କର ପରିବାର ମଧ୍ୟରେ ଜମି ଜମାକୁ ନେଇ ପୂର୍ବରୁ ତିକ୍ତତା ରହିଥିଲା । ତେବେ ଗତ ନିର୍ବାଚନରେ ଦଳେଇ ନାୟକଙ୍କ ବୋହୁ ଓ୍ବାର୍ଡ ମେମ୍ବର ହୋଇଥିଲେ । ଏପରି ସ୍ଥଳେ ଗାଁର ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ପୋଖରୀ ଖୋଳା କାର୍ଯ୍ୟକୁ ନେଇ ନୃପତି ନାୟକ କରୁଥିଲେ । ତେବେ ଏହି ପୋଖରୀ ଖୋଳରେ ନିୟୋଜିତ ଟ୍ରାକ୍ଟର ଓ ଜେସିବି ଘର ସମ୍ମୁଖରେ ଯିବା ଆସିବା ନେଇ ଦଳେଇ ନାୟକ ବିରୋଧ କରିଥିଲେ ।
ଫଳରେ ଦଳେଇ ନାୟକଙ୍କ ସହ ନୃପତି ନାୟକ ଓ ତାଙ୍କ ଭାଇ ମାନଙ୍କ ସହ ବାଦ ବିବାଦ ଲାଗିଥିଲା । ଆଜି ଘର ସମ୍ମୁଖରେ ଯାଉ ଥିବା ଟ୍ରାକ୍ଟର ଓ ଜେସିବିକୁ ଅଟକାଇ ବାରୁ ଦଳେଇ ନାୟକଙ୍କ ସହ ନୃପତି ଓ ତାଙ୍କ ଭାଇ ମାନେ ପାଟିତୁଣ୍ଡ ହୋଇ ଦଳେଇଙ୍କୁ ଏକ ଦେଶୀ ବନ୍ଧୁକରେ ଏହି ଗୁଳିମାଡ଼ କରାଯାଇଥିବା ଅଭିଯୋଗ ହୋଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ