ଓଡିଶା

odisha

ETV Bharat / state

କୋରୋନାର କରୁଣ ଚିତ୍ର; ପଜିଟିଭ ଜାଣିବା ପରେ ମେଡିକାଲ ବାରଣ୍ଡାରେ ଚାଲିଗଲା ପ୍ରାଣ

ମହାମାରୀ କୋରୋନାର କରୁଣ ଚିତ୍ର ଏଭଳି ପରିସ୍ଥିତିରେ ପହଞ୍ଚିଛି ଯେ ତାକୁ କଳ୍ପନା କରାଯାଇ ନପାରେ। କେଉଁଠି ଆକ୍ରାନ୍ତଙ୍କୁ କେହି ସହଯୋଗର ହାତ ବଢ଼ାଉ ନାହାନ୍ତି ତ ଆଉ କେଉଁଠି କୋରୋନା ମୃତକଙ୍କୁ କାନ୍ଧ ମିଳୁ ନାହିଁ । କୋଭିଡ ପଜେଟିଭ ବୋଲି କାକୁତି ମିନତି ହୋଇ ଡାକିଲେ ମଧ୍ୟ କେହି ଶୁଣିଲେନି ମହିଳାଙ୍କ ଡାକ । ଆଉ ଶେଷରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ ଛଟ ପଟ ହୋଇ ପ୍ରାଣ ହାରିଲେ ଜଣେ ସରକାରୀ କର୍ମଚାରୀ । ଏପରି ହୃଦୟ ବିଦାରକ ଘଟଣାର ଭିଡିଓ ଭାଇରାଲ ପରେ ଏବେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଚର୍ଚ୍ଚାର ପରିସରକୁ ଆସିଛି ।

କୋରୋନା କଷଣ; କୋରୋନା ପଜିଟିଭ ଜାଣିବା ପରେ ମେଡିକାଲ ବାରଣ୍ଡାରେ ଚାଲିଗଲା ପ୍ରାଣ
କୋରୋନା କଷଣ; କୋରୋନା ପଜିଟିଭ ଜାଣିବା ପରେ ମେଡିକାଲ ବାରଣ୍ଡାରେ ଚାଲିଗଲା ପ୍ରାଣ

By

Published : Sep 16, 2020, 8:58 AM IST

ଢେଙ୍କାନାଳ: କୋରୋନା କଷଣରେ ଦହଗଞ୍ଜ ହେଉଛନ୍ତି ଛୁଆଠୁ ବୁଢା । ଦିନକୁ ଦିନ କାୟା ମେଲାଉଥିବା ବେଳେ ସାମନାକୁ ଆସୁଛି ଗୋଟିଏ ପରେ ଗୋଟିଏ କରୁଣ ଚିତ୍ର । ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ଘଟିଥିବା ଏପରି ଏକ ହୃଦୟ ବିଦାରକ ଦୃଶ୍ୟର ଭିଡିଓ ଭାଇରାଲ ପରେ ଜିଲ୍ଲା ସ୍ବାସ୍ଥ୍ୟ ସେବା ଓ ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଛି । କୋଭିଡ ପରୀକ୍ଷା ପାଇଁ ଆସିଥିବା ଜଣେ ସରକାରୀ କର୍ମଚାରୀଙ୍କ ପଜେଟିଭ ଚିହ୍ନଟ ପରେ ହଠାତ ଚେତାଶୂନ୍ୟ ହୋଇପଡିଯାଇଥିଲେ । ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ ପଡି ରହିଥିବାବେଳେ ତାଙ୍କ ପାଖରେ ଥିବା ତାଙ୍କ ସମ୍ପର୍କୀୟ ଓ ପତ୍ନୀ ନେହୁରା ହୋଇ ଡାକ୍ତର ଓ କର୍ମଚାରୀମାନଙ୍କୁ କାକୁତି ମିନତି ହୋଇ ଡାକିଥିଲେ । ମାତ୍ର ତାଙ୍କ କରୁଣ ନିବେଦନ କେହି ଶୁଣିନଥିଲେ । ପାଲଟା ଡୋର ବନ୍ଦ କରିଦେଇଥିଲେ ।

କୋରୋନା କଷଣ; କୋରୋନା ପଜିଟିଭ ଜାଣିବା ପରେ ମେଡିକାଲ ବାରଣ୍ଡାରେ ଚାଲିଗଲା ପ୍ରାଣ

ସବୁଠାରୁ ବଡ କଥା ହେଉଛି ସମସ୍ତେ ଏହି ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ଜଣେ ସାହାଯ୍ୟର ହାତ ବଢ଼ାଇ ନଥିଲେ । ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ଛାତିରେ ମୁଣ୍ଡ ପିଟି ପିଟି କାନ୍ଦୁଥିବାର ଦୃର୍ଶ୍ୟ ଯେତିକି ସମ୍ବେଦନ ଶୀଳ ସେତିକି ମଧ୍ୟ ହୃଦୟ ବିଦାରକ ଥିଲା । ଶେଷରେ ମରଣ ଯନ୍ତ୍ରଣାରେ ଛଟ ପଟ ହୋଇ ଏହି ବ୍ୟକ୍ତି ଜଣଙ୍କ ଡାକ୍ତରଖାନା ଆଉଟ ଡୋର ଆଗରେ ପଡିରହି ପ୍ରାଣ ହାରିଥିଲେ ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି ।

ମୃତକ ଜଣଙ୍କ ଅନୁଗୁଳ ଜନସ୍ବାସ୍ଥ୍ୟ ବିଭାଗର ଜଣେ କାର୍ଯ୍ୟରତ କର୍ମଚାରୀ । ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ନଧରା ଗ୍ରାମର ବାସିନ୍ଦା । ତେବେ ତାଙ୍କର ଥଣ୍ଡା କାଶ ଯୋଗୁଁ ଉଭୟେ ପତି ପତ୍ନୀ କୋଭିଡ ଟେଷ୍ଟ ପାଇଁ ଗତକାଲି ଢେଙ୍କାନାଲ ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ପତ୍ନୀଙ୍କର ରିପୋର୍ଟରେ ନେଗେଟିଭ ଓ ତାଙ୍କର ପଜେଟିଭ ବୋଲି ଜଣାପଡିଥିଲା । ଆଉ ପଜିଟିଭ ଜାଣିବା ପରେ ସେ ସାଙ୍ଗେ ସାଙ୍ଗେ ତଳେ ପଡିଯାଇଥିଲେ ।

ତେବେ ଖୋଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଥିବା ଏପରି ହୃଦୟ ବିଦାରକ ଘଟଣାରେ ଡାକ୍ତର ଓ କର୍ମଚାରୀଙ୍କ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋଭିଡ ପଜେଟିଭ ବୋଲି ଜାଣିବା ପରେ ତାଙ୍କୁ ଚିକିତ୍ସା ଦିଆ ଯାଇଥିବା କାରଣରୁ ବ୍ୟକ୍ତିଙ୍କ ପ୍ରାଣହାନିର କାରଣ ହୋଇଛି । ଯାହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭୁଲକୁ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

ଚିକିତ୍ସାରେ ଅବହେଳା ପାଇଁ ବାରମ୍ବାର ରୋଗୀମାନଙ୍କର ପ୍ରାଣ ହାନି ଘଟୁଥିବାରୁ ଚର୍ଚ୍ଚାର ପରିସରରେ ଥିବା ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଏପରି ହୃଦୟ ବିଦାରକ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ତେବେ ଏହି ଘଟଣାରେ ମୁତକ ପରିବାରକୁ କଣ ନ୍ୟାୟ ମିଳୁଛି ଓ ଉଚ କର୍ତ୍ତପକ୍ଷ କଣ ପଦକ୍ଷେପ ନେଉଛନ୍ତି ତାହାକୁ ଏବେ ସମସ୍ତଙ୍କ ଅପେକ୍ଷା କରିଛନ୍ତି I

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details