ଢେଙ୍କାନାଳ :ବିଦାୟ ନେଇଛନ୍ତି ବିଘ୍ନ ବିନାଶକ । ଦୀର୍ଘ ୬ ଦିନ ଧରି ଧରାଧାମରେ ଅବସ୍ଥାନ ପରେ ଗତକାଲି (ମଙ୍ଗଳବାର) ବିଦାୟ ନେଇଛନ୍ତି ବିଘ୍ନ ବିନାଶକ । ଏଥିପାଇଁ ଢେଙ୍କାନାଳ ସହରରେ ଅନୁଷ୍ଠିତ ହୋଇଥିଲା ଗଣେଶ ମେଢ଼ର ଭସାଣି ଉତ୍ସବ । ଏହି ଭସାଣି ଉତ୍ସବରେ ଚଳିତ ବର୍ଷ ୩୮ଗୋଟି ମଣ୍ଡପର ଗଣେଶ ମେଢ଼ ସାମିଲ ହୋଇଥିଲେ । ପ୍ରତ୍ୟେକ ପୂଜା ମଣ୍ଡପ ପକ୍ଷରୁ ଆୟୋଜିତ ବାଜା, ଘଣ୍ଟ ଓ ରୋଷଣୀରେ ସମଗ୍ର ବଜାର ପ୍ରକମ୍ପିତ ହୋଇ ଉଠିଛି ।
ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ଏହି ଭସାଣୀ ଶୋଭଯାତ୍ରାର ମାହୋଲରେ ମତୁଆଲା ହୋଇ ଉଠିଥିଲେ । ମେଢ଼ର ଆଗେ ଆଗେ ମଣ୍ଡପ ଗୁଡିକ ପକ୍ଷରୁ ଆୟୋଜିତ ପାରମ୍ପାରିକ ବାଜା ଘଣ୍ଟ, ଘଣ୍ଟା ମାଦଲ ସାଙ୍ଗକୁ ଅତ୍ୟାଧୁନିକ ବାଜାର ଆସରରେ କମ୍ପି ଉଠିଛି ଢେଙ୍କାନାଳ । ନାଚ ଗୀତର ଆସରରେ ପ୍ରଭୁ ଗଜାନନଙ୍କୁ ବିଦାୟ ଦେଉଛନ୍ତି ଢ଼େଙ୍କାନାଳ ବାସିନ୍ଦା । ସବୁ ବର୍ଷ ପରି ଗଣେଶ ପୂଜା କମିଟି ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମରେ ମେଳଣ ଉତ୍ସବ ଆୟୋଜିତ ହୋଇଥିଲା । ଏଠାରେ ଢେଙ୍କାନାଳ ସହରର ସମସ୍ତ ୩୮ଗୋଟି ଗଣେଶ ମେଢ଼ ସାମିଲ ହୋଇଥିଲେ । ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଲୋଗଣ୍ୟଗି ଭି.ଦିବ୍ୟାଙ୍କଉପସ୍ଥିତିରେ ସମସ୍ତ ମେଢ଼ର କର୍ମକର୍ତ୍ତାଙ୍କୁ ନେଇ ଲଟେରୀ ମାଧ୍ୟମରେ କ୍ରମିକ ନମ୍ବର ଦିଆଯାଇଥିଲା । ପରେ ନିଜର କ୍ରମିକ ନମ୍ବର ମୁତାବକ ମେଢ଼ ଗୁଡିକ ବଜାର ମୁଖ୍ୟ ରାସ୍ତାରେ ମିଳିତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୂର୍ବରୁ ନିର୍ଦ୍ଧାରିତ ପୁଷ୍କରଣୀ ଅଭିମୁଖେ ପ୍ରଭୁଙ୍କ ମୂର୍ତ୍ତିକୁ ବାଜା ଓ ରୋଷଣୀରେ ବିସର୍ଜନ କରିବା ପାଇଁ ଗୋଟିଏ ପରେ ଗୋଟିଏ ମେଢ଼ ମିଳିତ ଶୋଭାଯାତ୍ରାରେ ଯାଇଥିଲେ।