ଢେଙ୍କାନାଳ: ଶେଷ ହେବ ଗଜଲକ୍ଷ୍ମୀ ପୂଜା ଉତ୍ସବ । ଯାହା ଫଳରେ ପୂଜା ବଜାରରେ ଦର୍ଶକଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିବାରେ ଲାଗିଛି । କୁମାରପୂର୍ଣ୍ଣିମାରୁ ଏହି ପୂଜା ଆରମ୍ଭ ହୋଇଥିବାବେଳେ ଧରାପୃଷ୍ଠରୁ ବିଦାୟ ନେବେ ମା' ଗଜଲକ୍ଷ୍ମୀ । ଆସନ୍ତା ୮ତାରିଖରେ ମା' ଲକ୍ଷ୍ମୀ ଢେଙ୍କାନାଳରେ ପାଳନ ହେବ ଭସାଣୀ ଉତ୍ସବ । ପୂଜା ବଜାରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଆସୁଛନ୍ତି । ପୂଜା ବଜାରରେ ମନ ମହୁଛି ରଙ୍ଗୀନ ଆଲୋକ ମାଳା ଓ ସୁଉଚ୍ଚ ତୋରଣ । ଦୋଳି, ମିନା ବଜାର ସାଙ୍ଗକୁ ଫାଷ୍ଟ ଫୁଡ଼ର ମଜା ଉଠାଉଛନ୍ତି ଯୁବଗୋଷ୍ଠୀ । ଆଉ ପିଲାଠୁ ବୁଢା ଯାଏଁ ସମସ୍ତେ ଉତ୍ସବକୁ ଉପଭୋଗ କରୁଛନ୍ତି ।
ତେବେ କଲେଜ ବଜାର ପୂଜା ମଣ୍ଡପ ଦର୍ଶକ ଓ ଶ୍ରଦ୍ଧାଳୁମାନଙ୍କୁ ସ୍ୱତନ୍ତ୍ର ଭାବେ ଆକର୍ଷିତ କରୁଛି । ଢେଙ୍କାନାଳରେ ମୋଟ ୩୮ଟି ମଣ୍ଡପରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଥିବାବେଳେ ଦୀର୍ଘ ୧୦ କିଲୋମିଟର ବ୍ୟାପୀ ସହରର ମୁଖ୍ୟ ରାସ୍ତା ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି । ତେବେ ସହରର ପ୍ରବେଶ ସ୍ଥଳ ଏହି କଲେଜ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ପ୍ରସ୍ତୁତ କୈଳାସ ଗିରି ଦର୍ଶକଙ୍କୁ ଆକର୍ଷିତ କରୁଛି । ଏଠାରେ ଜରି, ବୋତଲ ଆଦି ବର୍ଜ୍ୟବସ୍ତୁକୁ ନେଇ ପ୍ରସ୍ତୁତ ହୋଇଛି ଏହି ସାଜସଜ୍ଜା । କୈଳାସ ପର୍ବତର ଗୁମ୍ଫାରେ ମା' ଲକ୍ଷ୍ମୀ ବିରାଜମାନ କରିଥିବାବେଳେ ପାହାଡ଼ର ଶୀର୍ଷରେ ଦେବ ଦେବ ମହାଦେବଙ୍କୁ ସ୍ଥାପିତ କରାଯାଇଛି ।