ଢେଙ୍କାନାଳ: ଜିଲ୍ଲା ଦେଓଗାଁ ପଞ୍ଚାୟତରେ ଦୋକାନ ଘର ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି । ବିନା ଟେଣ୍ଡାରରେ ଚାଲିଛି ଢେଙ୍କାନାଳ କପିଳାସ ପୀଠ ପାଦଦେଶରେ ଥିବା ଦୋକାନ ଘର । ସରକାରୀ ତହବିଲକୁ ଯାଉନି ଭଡା ବାବଦରେ ଟଙ୍କା । ଏବେ ପ୍ରଶ୍ନ ଉଠୁଛି ଭଡା ଟଙ୍କା ଖାଉଛି କିଏ ?
କିଏ ଖାଉଛି ଭଡା ଟଙ୍କା ? ଦୋକାନ ଘର ବଣ୍ଟନ ରେ ଅନିୟମିତତା ଖବରମୁତାବକ, ପଞ୍ଚାୟତ ଦୋକାନ ଘର ବଣ୍ଟନରେ ବ୍ୟାପକ ଅନିୟମିତତା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଦେଓଗାଁ ପଞ୍ଚାୟତରୁ । ଦେଓଗାଁ ଗ୍ରାମପଞ୍ଚାୟତର କପିଳାସ ପାଦ ଦେଶରେ ଥିବା ମାର୍କେଟ କମ୍ପ୍ଲେକ୍ସର ଦୋକାନ ଘର ଗୁଡିକ ବିନା ଟେଣ୍ଡରରେ ବଣ୍ଟା ଯାଇଥିବା ଅଭିଯୋଗ ହୋଇଛି । ଆଉ ସିଧାସଳଖ ଅଭିଯୋଗ ଆସିଛି ସ୍ଥାନୀୟ ସରପଞ୍ଚ ଓ ତାଙ୍କ ସ୍ଵାମୀଙ୍କ ନାଁରେ । ଦେଓଗାଁ ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ କପିଳାସ ପାଦ ଦେଶରେ ଥିବା ଏହି ଦୋକାନ ଘର, ଯାତ୍ରୀନିବାସ ଓ ସୁଲଭ ଶୌଚାଳୟକୁ ଟେଣ୍ଡର ମାଧ୍ୟମରେ ବଣ୍ଟନ କରାଯାଇଥାଏ ।
ମାତ୍ର ଗତ ୨୦୧୯ମସିହା ଅର୍ଥାତ ଦୁଇବର୍ଷ ହେଲା ଏଗୁଡିକ ଟେଣ୍ଡର କରାଯାଇନାହିଁ ବୋଲି ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି । ଏଥିପାଇଁ ବିନା ଟେଣ୍ଡର ଆହ୍ଵାନରେ ବ୍ୟାପକ ଅର୍ଥ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସେଠାରେ ଥିବା ଯାତ୍ରୀନିବାସ ଓ ଶୌଚାଳୟର ମଧ୍ୟ ଟେଣ୍ଡର ଆହ୍ଵାନ କରାନଯାଇ ବଣ୍ଟନ କରାଯାଇଥିବା ବି ଅଭିଯୋଗ ଉଠିଛି । ଆଉ ଏହି ଅଭିଯୋଗ ଆଣିଛନ୍ତି କିଛି ସୂଚନା ଅଧିକାର କର୍ମୀଙ୍କ ସହ ସ୍ଥାନୀୟ ବାସିନ୍ଦା । ଦୋକାନ ଘର ପାଇଁ ଖୋଦ ସରପଞ୍ଚ ଓ ତାଙ୍କ ସ୍ଵାମୀ ଅର୍ଥ ଆଦାୟ କରୁଥିବାର ସିଧାସଳଖ ଅଭିଯୋଗ ହୋଇଛି । ଦେଓଗାଁ ସରପଞ୍ଚ କିନ୍ତୁ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ କହିବା ସହିତ କୋରୋନା କଟକଣାର ଆଳ ଦେଖାଇ ଏଡାଇ ଯାଇଛନ୍ତି ।
ଫଳରେ ଏହାର ତୁରନ୍ତ ଯାଞ୍ଚ କରାଯାଇ ହଡପ ଅର୍ଥ ଆଦାୟ କରାଯିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ