ଢେଙ୍କାନାଳ : ଏକ ବଡ଼ ଆନ୍ତଃଜିଲ୍ଲା ଡକାୟତି ଓ ପେଷାଦାରୀ ଅପରାଧୀ ଗ୍ୟାଙ୍ଗକୁ ଠାବ କରିଛି ଢେଙ୍କାନାଳ ସଦରଥାନା ପୋଲିସ (Inter state lootera gang arrested)। ଏହାସହ ଗ୍ୟାଙ୍ଗର ୫ଜଣ ପେଷାଦାର ଡକାୟତଙ୍କୁ ଗିରଫ କରିଛି । ଗିରଫ ପରେ ସେମାନଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର, ବ୍ରାଉନ ସୁଗାର, ପିସ୍ତଲ, ଗୁଳିଗୋଳା ଓ କାର ବୁଲେଟ ଜବତ କରିବାରେ ସକ୍ଷମ ହୋଇଛି ସଦର ପୋଲିସ । ଜବତ ହୋଇଥିବା ମାରଣାସ୍ତ୍ର ମଧ୍ୟରେ ୫ଟି ପିସ୍ତଲ, ୩୮ ରାଉଣ୍ଡ ଗୁଳି, ୩ଟି ମାଗାଜିନ, ଖଣ୍ଡା, ଭୁଜାଲି ରହିଛି । ଏହାସହ ବ୍ରାଉନ ସୁଗାର, ଡକାୟତି ଓ ଲୁଟ କରିଥିବା ସୁନା ମୁଦି, ଚେନ, ୨୫ହଜାର ୭୨୦ ଟଙ୍କା ପ୍ରମୁଖ ଜବତ କରିଛି ପୋଲିସ ।
ଏହି ଗ୍ୟାଙ୍ଗ ଡକାୟତି, ରାହାଜାନି, ହତ୍ୟା, ଦୁଷ୍କର୍ମ ଭଳି ବିଭିନ୍ନ ଅପରାଧରେ ସମ୍ପୃକ୍ତ ରହିଛି । ଏମାନେ ବ୍ୟବହାର କରୁଥିବା ମାରୁତି ଡିଜୟାର କାର ଓ ବୁଲେଟକୁ ମଧ୍ୟ ପୋଲିସ ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁରର ଶଙ୍କର ସାହୁ, ଧରାକୋଟର ହିମାଂଶୁ ସ୍ୱାଇଁ, ଖଲ୍ଲିକୋଟର ଅମିତ ସ୍ୱାଇଁ, କଟକ ବାଙ୍କିର ରଞ୍ଜିତ ରାଉତ, ଢେଙ୍କାନାଳ ପାପୁନ ନାଏକ । ଜଣେ ସହଯୋଗୀ ସୁପାରୀ କିଲରକୁ ମଧ୍ୟ ଗିରଫ କରିଛି ପୋଲିସ ।
ଅପରପକ୍ଷରେ ଏହି ଚୋରି ସାମଗ୍ରୀ ରଖିଥିବା ଅନ୍ୟ ଜଣେ ଯୁବକଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଏମାନେ ସମସ୍ତେ ପେଷାଦାର ଅପରାଧୀ ଓ ଏମାନଙ୍କ ନାମରେ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାର ଥାନାଗୁଡ଼ିକରେ ବହୁ ସଙ୍ଗୀନ ମାମଲା ରହିଛି । ଗତ ମାସ ୨୪ ତାରିଖରେ ସଦର ଥାନା ଅନ୍ତର୍ଗତ ସଦାଶିବପୁର ଗ୍ରାମର ରଞ୍ଜନା ତ୍ରିପାଠୀଙ୍କ ଘରେ ପଶି ମାରଣାସ୍ତ୍ର ଦେଖାଇ ସୁନା ଗହଣା ଓ ଟଙ୍କା ଆଦି ଲୁଟ ଘଟଣାରେ ଏମାନେ ସମ୍ପୃକ୍ତ ରହିଥିବା ମଧ୍ୟ ଜଣା ପଡିଛି ।