ଢେଙ୍କାନାଳ: ନୂଆ ବର୍ଷ ଅବସରରେ ଢେଙ୍କାନାଳକୁ ପର୍ଯ୍ୟଟକମାନଙ୍କ ସୁଅ ଛୁଟିଛି । ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଦେବଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ କପିଳାସରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନ ସମାଗମରେ ଦେଖିବାକୁ ମିଳିଛି ।ଏହାସହ ଜିଲ୍ଲାର ସପ୍ତଶଯ୍ୟା, ଜୋରନ୍ଦା ମହିମାଗାଦୀ , ରାମଚଣ୍ଡୀ, ସାପୁଆ , ଦଣ୍ଡାଧର ଡ୍ୟାମ ଆଦି ସ୍ଥାନରେ ବଣଭୋଜି ପାର୍ଟି ଓ ପର୍ଯ୍ୟଟକ ମାନଙ୍କ ଭିଡ଼ ଲାଗିରହିଛି ।
ତେବେ ଏସବୁ ମଧ୍ୟରେ ଜିଲ୍ଲାର କପିଳାସର ମାହୋଲ ବେଶ ନିଆରା । ପୀଠର ଆରଧ୍ୟ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହିମା ଏହି ନୂଆ ବର୍ଷ ଅବସରରେ ଭକ୍ତଙ୍କୁ ଟାଣି ଆଣିଛି । ଫଳରେ ଏହି ପୀଠରେ ଶ୍ରଦ୍ଧାଳୁ ସମାଗମ ପରିଲକ୍ଷିତ ହୋଇଛି । ନୂଆ ବର୍ଷର ପ୍ରଥମ ସକାଳରେ ପ୍ରଭୁଙ୍କୁ ଟିକିଏ ଦର୍ଶନ ପାଇଁ ଭକ୍ତଙ୍କ ଭିତରେ ବେଶ ଉତ୍ସାହ ଭରି ରହିଥିବା ଦେଥିବାକୁ ମଳିଥିଲା ।
ଏହି ଅବସରରେ କପିଳାସ ପାଦ ଦେଶରୁ ଉଭୟ ପାହାଚ ଓ ପକ୍କା ରାସ୍ତାରେ ଶ୍ରଦ୍ଧାଳୁଙ୍କ ଖଚାଖଚା ଭିଡ଼ ଲାଗି ରହିଛି । ପ୍ରଭୁ ଚନ୍ଦ୍ର ଶେଖରଙ୍କୁ ଟିକିଏ ଦର୍ଶନ ପାଇଁ ମନ୍ଦିର ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗୁଛି । ଦୀପ ଟିଏ ଜାଳି ନିଜର ମାନସିକ ପୂରଣ ପାଇଁ ବ୍ୟାକୁଳ ହୋଇ ପଡିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ଚନ୍ଦ୍ର ଶେଖରଙ୍କୁ ପୂଜାରେ ଅନ୍ୟ ଦିନ ଅପେକ୍ଷା ନୂଆବର୍ଷରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଥିବା କହିଛନ୍ତି ମନ୍ଦିରର ମୁଖ୍ୟ ସେବାୟତ ନିରଞ୍ଜନ ମହାପାତ୍ର ।