ଢେଙ୍କାନାଳ: ଜିଲ୍ଲା ହିନ୍ଦୋଳ ବିଜ୍ଞାପିତ ପରିଷଦ ନିର୍ବାଚନ ପାଇଁ ୩ ତାରିଖରେ ଭୋଟ ଗ୍ରହଣ ହୋଇଛି । ୮୮ ପ୍ରତିଶତ ମତଦାନ ହୋଇଥିବାବେଳେ ଆସନ୍ତାକାଲି ଅର୍ଥାତ୍ ୫ ତାରିଖରେ ଭୋଟ ଗଣତି ହେବ । ଏଥିପାଇଁ ହିନ୍ଦୋଳ ଏନଏସିରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି କାର୍ଯ୍ୟକ୍ରମ ରହିଛି । ହିନ୍ଦୋଳ ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟଠାରେ ଭୋଟ ଗଣନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିଲାଗି ଦୁଇଟି ଟେବୁଲ ପ୍ରସ୍ତୁତ କରାଯାଇଛି ।
ନଗରପାଳ ପାଇଁ ଗୋଟିଏ ଓ କାଉନସିଲର ପାଇଁ ଗୋଟିଏ ଏପରି ଦୁଇଟି କାଉଟିଂ ଟେବୁଲ ପ୍ରସ୍ତୁତ କରାଯାଇଛି । ଫଳରେ ୧୬ଟି ବୁଥ ପାଇଁ ୧୬ଟି ପର୍ଯ୍ୟାୟରେ କାଉଟିଂ କରାଯିବ ବୋଲି ସୂଚନା ଦେଇଛନ୍ତି ଏନଏସି ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳ ଉପ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ । ସେପଟେ ଏହି କାଉଣ୍ଟିଂ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନଏସି କାର୍ଯ୍ୟାଳୟ ବା କାଉଣ୍ଟିଂ ସେଣ୍ଟରକୁ ଜନ ସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ପ୍ରକାଶ କରିଛନ୍ତି ଏନଏସି ନିର୍ବାଚନ ଅଧିକାରୀ ।
ହିନ୍ଦୋଳ ଏନଏସିର ମୋଟ ୧୬ଟି ୱାର୍ଡ ଓ ନଗରପାଳ ପଦବୀ ପାଇଁ ୩ ତାରିଖରେ ଭୋଟ ଗ୍ରହଣ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ଏହି ନିର୍ବାଚନରେ ୩ଜଣ ନଗରପାଳ ପ୍ରାର୍ଥୀ ଓ ୧୬ ୱାର୍ଡ ପାଇଁ ୫୦ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଛନ୍ତି । ତେବେ ମୋଟ ୯ ହଜାର ୮୬୩ ଭୋଟରଙ୍କ ମଧ୍ୟରୁ ୮ହାଜର ୬୪୧ଭୋଟର ମତ ସାବ୍ୟସ୍ତ କରିଥିବା ବେଳେ ଶତକଡା ୮୮ ପ୍ରତିଶତ ମତଦାନ ହୋଇଛି ।