ଢେଙ୍କାନାଳ: ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍କୁଲ ସମିଶ୍ରଣ ଆଇନ ଯୋଗୁଁ ୩୧ ଜଣ କୁନି କୁନି ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠରେ ବନ୍ଧାହୋଇଛି ଡୋରି । ଏପରି ଅଭାନୀୟ ସ୍ଥିତି ଉପୁଜିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ନବକିଶୋରପୁର ପଞ୍ଚାୟତ ଅନ୍ତର୍ଗତ କାଳିପୋଇ ପ୍ରାଥମିକ ବିଦ୍ୟାଳୟରେ । ଫଳରେ ଏହି ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବା ଦାବିରେ ସ୍କୁଲର ୩୧ ଜଣ କୁନି କୁନି ପିଲାଙ୍କ ସମେତ ଗ୍ରାମବାସୀ ମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ।
ସ୍କୁଲ ଓ ଗଣଶିକ୍ଷା ବିଭାଗର ସ୍କୁଲ ସମିଶ୍ରଣ ଆଇନର ଦୂରଦୃଷ୍ଟି ଅଭାବ ଓ ଏପରି ଦୁରୂପଯୋଗକୁ ତୀଵ୍ର ବିରୋଧ କରିଛନ୍ତି ଗ୍ରାମବାସୀ । ଏସଂକ୍ରାନ୍ତରେ ଏକ ସ୍ମାରକପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଗତ ଦୁଇବର୍ଷ ଧରି କୋଭିଡ କଟକଣାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏହି କାଳିପୋଇ ଗ୍ରାମସ୍ଥିତ କାଳିପୋଇ ପ୍ରାଥମିକ ସ୍କୁଲର ପିଲାମାନେ ମୋବାଇଲ ନେଟୱର୍କ ଅଭାବ ଯୋଗୁଁ ପାଠପଢାରୁ ସମ୍ପୂର୍ଣ୍ଣ ବଞ୍ଚିତ ଥିଲେ । ମାତ୍ର ତା’ପରେ କମ ଉପସ୍ଥାନ ଦର୍ଶାଇ ଏହି ସ୍କୁଲକୁ ଗ୍ରାମଠାରୁ ସାଢ଼େ ୩ କିଲୋମିଟର ଦୂର କପିସାହି ସ୍କୁଲରେ ମିଶାଇ ଦିଆଯାଇଛି ।