ଢେଙ୍କାନାଳ:ମାଲବାହୀ ଟ୍ରେନ ଲାଇନଚ୍ୟୁତ । ପୂର୍ବତଟ ରେଳପଥର ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଷ୍ଟେସନ ନିକଟରେ ଗୋଟିଏ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଦୁବୁରି ବୁଢାପଙ୍କ ନୂଆ ଟ୍ରେନ ଲାଇନର କମଲାଙ୍ଗ ଷ୍ଟେସନ ନିକଟସ୍ଥ ଭଗାମୁଣ୍ଡା ଠାରେ ଏହି ଦୁର୍ଘଟଣା ଘଟିଛି । ବର୍ତ୍ତମାନ ଏହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ରେଳ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରିଛି । ଦୁର୍ଘଟଣାରେ କୌଣସି ବଡ଼ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।
ସୂଚନାଯୋଗ୍ୟ କମଳାଙ୍ଗ ଷ୍ଟେସନ ନିକଟରେ ମାଲବାହୀ ଗାଡିର ଇଞ୍ଜିନ ସହିତ ୬ଟି ବଗି ରେଳ ଧାରଣାରୁ ବାହାରକୁ ପଳାଇ ଯାଇଥବା ଦେଖିବାକୁ ମିଳିଛି । ଦୁବୁରିରୁ ବୁଢ଼ାପଙ୍କ ଦେଇ ତାଳଚେର ଅଭିମୁଖେ ଏହି ମାଲବାହୀ ଟ୍ରେନଟି ଯାଉଥିଲାବେଳେ ଲାଇନଚ୍ୟୁତ ହୋଇଛି । ତେବେ ଏହି ଲାଇନଚ୍ୟୁତ ଯୋଗୁଁ ସେପରି କିଛି ବଡ଼ ଧରଣର କ୍ଷୟକ୍ଷତି ଘଟିନଥିବା ସୂଚନା ମିଳିଛି । ତେବେ କିଭଳି ଟ୍ରେନଟି ଲାଇନଚ୍ୟୁତ ହୋଇଛି ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।
ଦୁର୍ଘଟଣା ପରେ ଏହି ନୂଆ ରେଳ ଲାଇନ ଅଫ ଲାଇନରେ ଟ୍ରେନ ଚଳାଚଳ ଦୀର୍ଘ ଘଣ୍ଟା ଧରି ବନ୍ଦ ରହିଛି । ସୂଚନା ଥାଉକି, ତାଳଚେରରୁ ପାରାଦ୍ବୀପ କୋଇଲା ପରିବହନ ବ୍ୟବସାୟୀକ ଦୃଷ୍ଟି କୋଣରୁ ନୂତନ ଭାବେ ନିର୍ମିତ ଏହି ଦୁବୁରି ବୁଢ଼ାପଙ୍କ ନୂଆ ଟ୍ରେନ ଲାଇନ ଗତ ଛଅ ମାସ ହେଲା ଜାରି ରହିଛି । ତାଳଚେର ବୁଢ଼ାପଙ୍କ କାମାକ୍ଷାନଗର ଭୁବନ ଦେଇ ଦୁବୁରିକୁ ଯୋଗାଯୋଗ କରୁଥିବା ଏହି ରେଳ ଲାଇନରେ କେବଳ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଥିଲା । ମାତ୍ର ଏହି ଦୁର୍ଘଟଣା ପରେ ଏହି ଅଫ ଲାଇନରେ ଟ୍ରେନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି ।